ନିୟମିତ ଆସୁନାହାନ୍ତି ଡ଼ାକ୍ତର : ଫାର୍ମାସିଷ୍ଟ ସାଜିଛନ୍ତି ରୋଗୀଙ୍କ ଭାଗ୍ୟ ବିଧାତା

କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି। ନାହାନ୍ତି ଏଲୋପଥିକ ଡାକ୍ତର, ନିୟମିତ ଆସୁନାହାନ୍ତି ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ସାଜିଛନ୍ତି ରୋଗୀଙ୍କ ଭାଗ୍ୟ ବିଧାତା। ସୁଚନା ଅନୁଯାୟୀ କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ, ଅବଦାନ ଓ କାଦୁଆ ତିନୋଟି ପଞ୍ଚାୟତ କେନ୍ଦ୍ରସ୍ଥଳରେ ଅବସ୍ଥିତ ବାଲିଦୋକାନ ବଜାରରେ ସରକାରୀ ଡାକ୍ତରଖାନା ଅନେକ ସମସ୍ୟାରେ ଚାଲିଛି। ଏଠାକାର ରୋଗୀ ମାନଙ୍କର ଭାଗ୍ୟ ବିଧାତା ପାଲଟିଛନ୍ତି ଜଣେ ମହିଳା ଫାର୍ମାସିଷ୍ଟ। ୬ମାସ ହେବ ନାହାଁନ୍ତି ମୂଖ୍ୟ ତଥା ଏଲୋପଥିକ୍ ଡାକ୍ତର, ଯାହା ଦ୍ଵାରା ଦୈନିକ ଶତାଧିକ ରୋଗୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଆୟୁଷ ଡାକ୍ତର ଥିଲେ ମଧ୍ଯ ପୁରୀରୁ ଓଳିଏ ଆସି ମଧ୍ୟାହ୍ନରେ ପଳାନ୍ତି। ପୁଣି ସପ୍ତାହକୁ ଦୁଇ ତିନି ଦିନ। ବାକି ଦିନ ଟ୍ରେନିଂ ଚାଲିଛି କହି ଛୁଟିରେ ରୁହନ୍ତି , ଏହା ସାରା ବର୍ଷ ବର୍ଷର ସମସ୍ୟା। ଯାହା ଫଳରେ ଏକମାତ୍ର ମହିଳା ଫାର୍ମାସିଷ୍ଟ ଙ୍କ ଯୋଗୁଁ ଚାଲିଚି ମେଡ଼ିକାଲ ଓ ରୋଗୀ ଦେଖା। ଏହା ସାଂଗକୁ ମେଡ଼ିକାଲ ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ରହିଛି ନର୍ସ ଗୃହ ସହ ଆବର୍ଜନା ପ୍ଲାଣ୍ଟ। ଔଷଧୀୟ ଉଦ୍ୟାନ ନାମରେ ମଧ୍ଯ ଅର୍ଥ ଆସୁଥିଲେ ବି କୌଣସି ବୃକ୍ଷ ରୋପଣ କି ରକ୍ଷଣା ବେକ୍ଷଣ କରାଯାଉନାହିଁ। ମେଡ଼ିକାଲର ପାଚେରୀ ନାହିଁ, ରୋଗୀ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ତା ନାହିଁ, ୱାର୍ଡ ଗୃହ ନାହିଁ, ଅପେକ୍ଷା ଗୃହ ନାହିଁ ଏପରି ଅନେକ ସମସ୍ୟା ରେ ଚାଲିଛି ମେଡିକାଲ। କର୍ତ୍ତୃପକ୍ଷ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଛି। କିନ୍ତୁ ଆବଶ୍ୟକ କାର୍ଯ୍ୟ କରାଯାଉନାହିଁ। ଡାକ୍ତର ନିଯୁକ୍ତି ସହ ମେଡିକାଲ ପରିସର ସୌନ୍ଦର୍ଯ୍ୟ ଓ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।
ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ