କଟକ ବାଲିଯାତ୍ରାରେ ଲେ।କକଳା ମଞ୍ଚ ମନମୋହୁଛି ବିଭିନ୍ନ ଜିଲ୍ଲାର ଲୁପ୍ତପ୍ରାୟ ଲୋକକଳା

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକର ଐତିହାସିକ ବାଲିଯାତ୍ରାରେ ସ୍ୱତନ୍ତ୍ର ଲୋକକଳା ମଞ୍ଚ ପ୍ରତିଷ୍ଠା କରାଯାଇଛି । ବାଲିଯାତ୍ରା ହେଉଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ସ୍ଥଳୀ । ଏହି ଗୌରବମୟ ପରମ୍ପରାର ସ୍ମୃତିଚାରଣ କରିବାର ଲକ୍ଷ୍ୟ ନେଇ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାର ସମୃଦ୍ଧ ଲୋକକଳା, ଲୋକନୃତ୍ୟ, ଲୋକନାଟକ, ଲୋକସଙ୍ଗୀତ ଓ ଲୁପ୍ତପ୍ରାୟ ଲୋକକଳାକୁ ନେଇ ସାଂସ୍କୃତିକ ଉତ୍ସବର ଆୟୋଜନ
କରାଯାଇଛି । ଏହାକୁ ଦେଖିବାକୁ ଅଗଣିତ ଦର୍ଶକମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଏହି ମଞ୍ଚରେ ଗଞ୍ଜାମର ଶଙ୍ଖ ଓ ରଣପା, ମୟୁରଭଞ୍ଜର ଛଉ ନୃତ୍ୟ, କଟକର ରାମଲୀଳା, ଖୋର୍ଦ୍ଧାର ଗୋଟିପୁଅ ଓ ଘୋଡ଼ାନାଚ, ମାଲକାନଗିରିର କୋୟା ନାଚ, ଗଞ୍ଜାମର ପ୍ରହଲ୍ଲାଦ ନାଟକ, ସଖୀ ନାଟ, ଭରତଲୀଳା ଓ ପଶୁମୁଖା, ବଲାଙ୍ଗୀରର ଘୁଡ୍‌କା, ସମ୍ବଲପୁରର ସମ୍ବଲପୁରୀ ନୃତ୍ୟ, ନବରଙ୍ଗପୁରର ଦେଶୀଆ ନାଟ, ପୁରୀର ସାହିଯାତ ଓ ମାହାରୀ, କଳାହାଣ୍ଡିର ଘୁମୁରା, ଭଦ୍ରକର ମୋଗଲ ତାମସା, ଗଜପତିର ପାଇକ ଆଖଡ଼ା, ବାଲେଶ୍ୱର ଚଢ଼େୟା ନାଚ, ନୟାଗଡ଼ର ଲଙ୍କାପୋଡ଼ି, ବୌଦ୍ଧର ଶବର-ଶବରୁଣୀ, କୋରାପୁଟର ଢେମ୍‌ସା, ଢେଙ୍କାନାଳର ଲଉଡ଼ି ଓ ଅନୁଗୁଳର ଦଣ୍ଡନାଟ ଆଦି ଦର୍ଶକମାନଙ୍କ ମନୋରଞ୍ଜନ କରୁଛି । ମଞ୍ଚକୁ ସଂପୂର୍ଣ୍ଣ ଭାବେ ଉତ୍କଳୀୟ ଗ୍ରାମ୍ୟ ଦୃଶ୍ୟପଟକୁ ଆଧାର କରି ସଜା ଯାଇଛି । ଏଥିସହ ବିଭାଗର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଚେତନତା ବାର୍ତ୍ତା ପ୍ରଚାର କରାଯିବା ସହ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି । ପୂଣ୍ୟତୋୟା ମହାନଦୀର ବାଲୁକା ଶଯ୍ୟାରେ ଆୟୋଜିତ ଏହି ମଞ୍ଚରେ ଚଳିତ ବର୍ଷ ଭିନ୍ନ ଏକ ବାର୍ତ୍ତା ଦେବା ସହ
ଉତ୍କଳୀୟ ପରମ୍ପରା, ପ୍ରାଚୀନ ପରମ୍ପରା ଓ ସଂସ୍କୃତିକୁ ପାଥେୟ କରି ବିଭିନ୍ନ ଲୋକକଳା ପ୍ରଦର୍ଶିତ କରାଯାଉଛି ଯାହା ବାଲିଯାତ୍ରାର ଏକ ଅଂଶ ଭାବେ ଉଭା ହୋଇଛି । ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ।

Leave a Reply

Your email address will not be published. Required fields are marked *