ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଦ୍ୱାରା ବାଲିମେଳା ବନ୍ଦ ସଫଳ

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ମାଲକାନଗିରି ଶାଖା ପକ୍ଷରୁ ବନ୍ଦ ଡାକରାର ପ୍ରଭାବ ବାଲିମେଳା ରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବାଲିମେଳରେ ସମସ୍ତ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ କାର୍ଯ୍ୟାଳୟ ବ୍ୟାଙ୍କ ଦୋକାନ ବଜାର ଓ ଗାଡି ମଟର ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଦୂରଗାମୀ ବସ ଗୁଡିକ ସକାଳୁ ପହଂଚି ଥିବାବେଳେ ସ୍ଥାନୀୟ ଯାତ୍ରୀବାହୀ ବସ ତିନିଚକିଆ ଓ ଦୁଇ ଚକିଆ ଯାନ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବା ହେତୁ ଏହାର ପ୍ରଭାବ ସିଧାସଳଖ ଯାତ୍ରୀ ମାନଙ୍କ ଉପରେ ପଡିଛି । ବାଲିମେଳା କୁ ପ୍ରବେଶ କରୁଥିବା ମୁଖ୍ୟ ରାସ୍ତା ୧ନ ୱାର୍ଡ ପାଖରେ ଶତାଧିକ ମହିଳା ପୁରୁଷ ରାସ୍ତା ଅବରୋଧ କରି ବସିଥିବାର ଦେଖିବାକୁ ମିଳିଥିଲା । ମୁଖ୍ୟତଃ ଦେଶର ମୂଳ ବାସିନ୍ଦା ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର କୁ ବିରୋଧ ଏବଂ ଆଦିବାସୀଙ୍କ ବିରୁଦ୍ଧରେ ସଂସଦରେ ବାରମ୍ବାର ହେଉଥିବା ନୂତନ ଆଇନି ପ୍ରଣୟନ ବନ୍ଦ କରିବା ଓ ସମାନ ନଗରିକତା ସହିଂତା (ଇଉସିସି)ବନ୍ଦ କରିବା । ବିକାଶ ନାମରେ ଜଳ ,ଜଙ୍ଗଲ ଓ ଜମି ରୁ ଆଦିବାସୀ ମାନଙ୍କ ବାରମ୍ବାର ବିସ୍ଥାପିତ ବନ୍ଦ କରିବା ଏଥି ସହିତ ମଣିପୁରରେ ଆଦିବାସୀ ମହିଳା ଙ୍କୁ ଗଣ ବଳାତ୍କାର ଓ ନଗ୍ନ କରି ବାଟରେ ଚଳାଇବାକୁ ବିରୋଧ ଭଳି ଦାବି ଗୁଡିକୁ ନେଇ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସେହିପରି ମଧ୍ୟ ବାଲିମେଳା ଛକରେ ଜୟପୁର ଓ ମାଲକାନଗିରି କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୧୦୦୦ ରୁ ଉର୍ଦ୍ଧ ଆଦିବାସୀ ମହିଳା ଓ ପୁରୁଷ ରାସ୍ତା ଉପରେ ବସି ବିରୋଧ ସ୍ରୋତରେ ସାମିଲ ହେବାର ଦେଖିବାକୁ ମିଳିଥିଲା । ଏହି ବନ୍ଦ ଡ଼ାକରାରେ ବହୁ ସ୍କୁଲ ଶିକ୍ଷକ ମଧ୍ୟ ନିଜ ଶିକ୍ଷା ଅନୁଷ୍ଠାନ ଯାଇ ପାରିନଥିବା ଦେଖିବାକୁ ମିଳିଛି ଏଥି ସହିତ ମାଲକାନଗିରି ରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ମଧ୍ୟ କାର୍ଯ୍ୟାଳୟକୁ ନଯାଇ ପରି ରାସ୍ତା ଉପରେ ଠିଆ ହେବାର ଦେଖିବାକୁ ମିଳିଥିଲା ।ଏହି ଅବସରରେ ଓଡିଶା ପୋଲିଶ ସହ ଅଇ ଆର ବି ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିବାର ଦେଖିବାକୁ ମିଳିଥିଲା ।