ସୁନ୍ଦର ତୁମ ସୃଷ୍ଟି କରୁଛ ପ୍ରେମ ବୃଷ୍ଟି

ସୁନ୍ଦର ତୁମ ସୃଷ୍ଟି କରୁଛ ପ୍ରେମ ବୃଷ୍ଟି
( ରାଗ — କାମୋଦୀ )
🖊️କବିରତ୍ନ ନୂତନ କୁମାର ବେହେରା
ସୁନ୍ଦର ତୁମ ସୃଷ୍ଟି କରୁଛ ପ୍ରେମ ବୃଷ୍ଟି
ହସୁଛି ଏ ସାରା ପ୍ରକୃତି,
ଅପରୂପ ସୁଷମା ଅସରନ୍ତି ମହିମା
ଭବେ ଝଟକେ ଦିନ ରାତି,
ହେ ଶ୍ରୀପତି,
ସଂସାରର ତୁମେ ଶକତି
ତୁମ ବିନା ନାହିଁ ମୁକତି,
ତୁମେ ତ ଅନ୍ତର୍ଯ୍ୟାମୀ ତ୍ରିଭୁବନର ସ୍ଵାମୀ
ଅକ୍ଷୁଣ୍ଣ ତୁମର କିରତି,ହେ ଶ୍ରୀପତି।୧।
ହୃଦେ କଳପି କେତେ ବିଶ୍ଵେ ରଚିଛ ଏତେ
ଅବ୍ୟୟ ଅଚ୍ୟୁତ ଅନନ୍ତ
ମଙ୍ଗଳେ ପଞ୍ଚଭୂତ ଜୀବ ଜଗତେ ସ୍ଥିତ
କ୍ରିୟାଶୀଳ ଯେ ଅବିରତ
ହେ ସାମନ୍ତ,
ସଭିଙ୍କୁ ହେଉଛ ତ ସାହା
ଦେଉଛ ଖୋଜେ ଯିଏ ଯାହା
ତୁମେ ତ ନିରାମୟ ଚିରନ୍ତନ ଚିନ୍ମୟ
ଅବିଳମ୍ବେ କରୁଛ ଆହା,ହେ ସାମନ୍ତ।୨।
ତୁମେ ହିଁ ସୂତ୍ରଧର ରଖ ସବୁ ନଜର
ଅତୁଟ ସଂପର୍କରେ ବାନ୍ଧ,
ହୃଦୟେ ଭରି ଭାବ କରାଅ ଅନୁଭବ
ମହକେ ପ୍ରେମର ସୁଗନ୍ଧ,
ହେ ଅନାଦି,
ତୁମେ ସର୍ବ ଶକ୍ତିର ମୂଳ
ତୁମ ଇଙ୍ଗିତେ ଚାଲେ କାଳ
ନ କରି ପକ୍ଷପାତ ଶୁଣି ଥାଅ ଆରତ
ସଭିଙ୍କର ହୁଏ ମଙ୍ଗଳ,ହେ ଅନାଦି।୩।
ଆଲୋକ ଅନ୍ଧକାର ତୁମେ ହିଁ ସବୁ କର
କୃପା କରୁଥାଅ ଅନାଥେ,
ଅଜ୍ଞାନେ ଦିବ୍ୟଜ୍ଞାନ ପାଇ ସଂସାରେ ଜନ
ଚାଲନ୍ତି ସତ୍ୟର ସୁପଥେ,
ହେ ଶ୍ରୀଧର,
ବ୍ରହ୍ମାଣ୍ଡ ତୁମ ଶ୍ରୀମନ୍ଦିର
ଏକା ତୁମେ ବଡ଼ ଠାକୁର
ପତିତ ଜନଙ୍କୁ ଯେ ତ୍ରାହି କର ସହଜେ
ତୁମେ ତ ଦୟାର ସାଗର,ହେ ଶ୍ରୀଧର।୪।
ପୋଛି ଦିଅ ଲୋତକ ହୋଇ ତୁମେ ରକ୍ଷକ
ବୁଝି ହୃଦୟର ବିଷାଦ,
ଓଠେ ଫୁଟାଅ ହସ ଦିଅ ଶୁଭ ଆଶିଷ
ଏ ଜୀବନେ ମିଳୁ ଆନନ୍ଦ,
ହେ ମାଧବ,
ରହୁ ମୋର ହୃଦୟେ ଭାବ
କୂଳେ ନେବି ଜୀବନ ନାବ
ପ୍ରଣାମ ମୋର ଘେନ ମୁଁ ଛାର ଅକିଞ୍ଚନ
ତୁମେ ମୋର ସର୍ବ ବିଭବ,ହେ ମାଧବ।୫।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨