ଦେଶରେ ପାଞ୍ଚ କୋଟିଙ୍କୁ ଆୟୁଷ୍ମାନ ଯୋଜନାର ଲାଭ: ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୬୧,୫୦୧ କୋଟି

ନୂଆଦିଲ୍ଲୀ,୧।୬ : ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପାଞ୍ଚ କୋଟି ଲୋକ ଆୟୁଷ୍ମାନ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସେମାନେ ମାଗଣା ଚିକିତ୍ସା ସେବା ପାଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏହି ଲୋକଙ୍କ ଚିକିତ୍ସା ପାଇଁ ସରକାର ୬୧,୫୦୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ କହିଛନ୍ତି ଏପର୍ଯ୍ୟନ୍ତ ୨୩.୩୯ କୋଟି ହିତାଧିକାରୀ ଏହି ଯୋଜନା ସହିତ ସଂଯୁକ୍ତ ଅଛନ୍ତି। ଏହି ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀମାନେ ଦେଶର ୨୮,୩୫୧ ହସ୍ପିଟାଲରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବାର ସୁବିଧା ପାଇପାରୁଛନ୍ତି।

କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏହି ଯୋଜନାର ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ୯.୨୮ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି। ୨୦୨୨ ମସିହାରେ ୧.୬୫ କୋଟି ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଯୋଜନା ଦିଲ୍ଲୀ, ଓଡିଶା ଏବଂ ପଶ୍ଚିମବଙ୍ଗ ବ୍ୟତୀତ ୩୩ ଟି ରାଜ୍ୟରେ ପ୍ରଯୁଜ୍ୟ। ଗତ ବର୍ଷ ୨୦୨୨-୨୩ ମସିହାରେ ୫୬ ପ୍ରତିଶତ ଲୋକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାବେଳେ ୪୪ ପ୍ରତିଶତ ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୨୭ ଟି ବିଭିନ୍ନ ବିଶେଷତ୍ୱ ଅନ୍ତର୍ଗତ ଲୋକମାନଙ୍କ ପାଇଁ ମୋଟ ୧,୯୪୯ ପ୍ରକାରର ଚିକିତ୍ସା ଉପଲବ୍ଧ। ଯେଉଁଥିରେ କର୍କଟ, ଜରୁରୀକାଳୀନ ଚିକିତ୍ସା, ଅର୍ଥୋପେଡିକ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଭୁକ୍ତ ରହିଛି।

Leave a Reply

Your email address will not be published. Required fields are marked *