ଭଦ୍ରକ ଜିଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୧୬/୭ – ଭଦ୍ରକ ଜିଳ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲା ସଭାପତି ହେମନ୍ତ ପାଢୀ ସଭାପତିତ୍ୱ କରିଥିବା ବେଳେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ପୂର୍ବତନ ମନ୍ତ୍ରୀ ତଥା ଚାନ୍ଦବାଲି ବିଧାନସଭା ନେତା ମନମୋହନ ସାମଲ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରି ନାରାୟଣ ଧଳ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ବାସୁଦେବପୁର ବିଧାନସଭା ନେତା ମାଧବାନନ୍ଦ ମଲ୍ଲିକ, ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଜୋନ ପ୍ରଭାରୀ ଗୋଲକ ମହାପାତ୍ର, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ଜିଲ୍ଲା ସାଧାରଣ ସମ୍ପାଦକ ଶଶୀକାନ୍ତ ବିଶ୍ୱାଳ, ଦୁର୍ଗା ପ୍ରସନ୍ନ ଦାସ, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିକାଶ ଶ୍ରେଷ୍ଠା, ମଣ୍ଡଳ ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ କମିିଟି ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ବୈଠକରେ ବିଜେପି କିପରି ତୃଣମୂଳରୁ ସଂଗଠନକୁ ସୁଦୃଢ କରିବ, ଆସନ୍ତା ପଞ୍ଚାୟତ ନିର୍ବାବଚନରେ ଦଳ ପଞ୍ଚାୟତ ସମିତି ଦଖଲ କରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଭଦ୍ରକ ଜିଲ୍ଲାରେ ଚାଲିଥିବା ଶାସକ ଦଳର ଗୁଣ୍ଡାରାଜ, ଦୁର୍ନୀତି ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଉ ନ ଥିବା ବେଳେ ଶାସକ ଦଳ ଦଳୀୟ ଭିତ୍ତିରେ ଘର ବଣ୍ଟନ କରିବା, ଜିଲ୍ଲାରେ ଶାସକ ଦଳର ଛାମୁଆ କର୍ମୀ ପ୍ରଶାସନର ଜ୍ଞାତସାରରେ ସହରରେ ଡ୍ରଗ୍ସ କାରବାର କରିବା, ବେଆଇନ ଗୋଚାଲାଣରେ ଦଳୀୟ କର୍ମୀ ଜଡ଼ିତ ରହିବା, ସହର ଭିତରେ ଥିବା ଅର୍ଜୁନ ସେତୁକୁ ରାଜନୈତିକ ହୀନମନ୍ୟତାରେ ଭାଙ୍ଗିଦେଇ ୨ଟି ୱାର୍ଡ ଅଧିବାସୀଙ୍କୁ ଅଯଥାରେ ହଇରାଣ କରିବା ଭଳି କାର୍ଯ୍ୟ ଉଭୟ ଶାସକ ଦଳର ନେତା ଓ ପ୍ରଶାସନ ମିଶି କରୁଥିବା ନେତାମାନେ ଆରୋପ ଉପସ୍ଥାପନ କରିଥିଲେ । ସହରରେ ଥିବା ନାଳନର୍ଦ୍ଦମାକୁ ସଫା କରାଯାଉ ନାହିଁ, ଯାହା ବର୍ଷା ହେଲେ ସହରବାସୀଙ୍କ ଘରେ ପାଣି ପଶିବ, ଏ ନେଇ ମଧ୍ୟ ଶାସକ ଦଳ ଦୃଷ୍ଟି ଦେଉ ନାହିଁ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସମସ୍ତ ନେତୃମଣ୍ଡଳୀ ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *