ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଆଭାସି ବର୍ଷା ଆସର

ଭଣ୍ଡାରିପୋଖରୀ,୧୩ା୭: ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଆଭାସି ବର୍ଷା ଆସର ପବିତ୍ର ରଥଯାତ୍ରା ଅବସରରେ ସୋମବାର ସନ୍ଧ୍ୟାରେ ସଂସଦ ସଭାପତି ଡ. ସୁରେନ୍ଦ୍ର ମୋହନ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂସଦର ସ୍ରଷ୍ଟା ବର୍ଷିଆନ କବି ଅଚ୍ୟୁତାନନ୍ଦ ସାମଲ ଆସରକୁ ଉଦଘାଟନ କରି ବର୍ଷା ସହ ସାହିତ୍ୟ ସୃଷ୍ଟିର ସମ୍ବନ୍ଧ ସମ୍ପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ସମାଲୋଚିକା ତଥା ଶୈଳବାଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ଚିନ୍ମୟୀ ମହାପାତ୍ର ମୁଖ୍ୟବକ୍ତା ଭାବେ ପ୍ରବନ୍ଧ ଓ କାବ୍ୟକବିତାରେ ବର୍ଷାର ବର୍ଣ୍ଣନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅଞ୍ଜଳି ପତ୍ରିକାର ସମ୍ପାଦକ ପ୍ରକାଶ ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ । ସାହିତ୍ୟ ରଚନାରେ ବର୍ଷାଋତୁ ଅନ୍ୟତମ ଭିତ୍ତିଭୂମି ଭାବେ ସଦା ପରିଚିତ । ବର୍ଷାର ଆଗମନ, ପ୍ରକୋପ, ଉପଯୋଗୀତା ଓ ଅପକାରିତା ଆଦି ଦିଗର ଭାବପୂର୍ଣ୍ଣ ବର୍ଣ୍ଣନା ଯୁଗେ ଯୁଗେ ସାହିତ୍ୟକୁ ରୁଦ୍ଧିମନ୍ତ କରିଆସିଛି ବୋଲି ଆସରରେ ମତପ୍ରକାଶ ପାଇଥିଲା । ଏହି ଅବସରରେ ପ୍ରଫୁଲ୍ଲ କୁମାର ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ବ୍ରଜକିଶୋର ମହାନ୍ତି, ଅଚ୍ୟୁତାନନ୍ଦ ସାମଲ, ପବନ କୁମାର ନାୟକ, ଆଦ୍ୟାଶା ମହାପାତ୍ର, ଜୟଦେବ ସେନାପତି, ପୁରୁଷୋତ୍ତମ ଧଳ, ରାଜେଶ ବିଶ୍ୱାଳ, ପ୍ରଭାକର ସାହୁ, ଅଞ୍ଜଳିଲତା ପରିଡା, ଅନୁସୂୟା ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଦମୟନ୍ତୀ ଦାସ କାର୍ଯ୍ୟକ୍ରମ ସଚାଳନା କରିଥିବା ବେଳେ ସଂସଦର ସମ୍ପାଦକ ପବନ କୁମାର ନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *