ବିଜେଡି କର୍ପୋରେଟରଙ୍କୁ ଦୁର୍ବ୍ୟବହାର

; ବ୍ରହ୍ମପୁର,୯/୬/୨୪: ବଡ଼ବଜାର ଥାନା ଅଧିନ ପୁରୁଣାବ୍ରହ୍ମପୁର ଅଞ୍ଚଳରେ ରହୁଥିବା ଜୈନିକ କର୍ପୋରେଟରଙ୍କୁ ଦୁର୍ବ୍ୟବହାର ହୋଇଛି ।ଏହାସହ ତାଙ୍କ ସ୍ୱାମୀଙ୍କୁ ମାଡ଼ମରା ଯାଇଛି । ଏପରି କି ଉଭୟ ଦମ୍ପତିଙ୍କୁ ହତ୍ୟା ଧମକ ହୋଇଛି ।ଏ ନେଇ ଦମ୍ପତିଙ୍କ ପକ୍ଷରୁ ଲିଖିତ ଅଭିଯୋଗ ବଡ଼ ବଜାର ଥାନାରେ ହୋଇଛି ।ଅଭିଯୋଗକୁ ଆଧାର କରି ପୁଲିସ ଆଇପିସି ୩୪୧/୩୨୩/୨୯୪/୩୫୪/୫୦୬ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଅତିରିକ୍ତ ଏସପି ଅସୀମ କୁମାର ପଣ୍ଡା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରବିବାର ସକାଳ ସାଢେ଼ ୭ଟା ବେଳେ ସ୍ଥାନୀୟ କର୍ପୋରେଟର ଓ ତାଙ୍କ ସ୍ୱାମୀ ସଫେଇ କାର୍ଯ୍ୟର ସମୀକ୍ଷା କରିବାକୁ ବାହାରିବା ସମୟରେ ରାଧାକାନ୍ତ ସାହି ନିବାସୀ ତଥା ବିଜେପି କର୍ମୀ ଦେବାଶିଷ ସାହୁ ତାଙ୍କ ଘର ନିକଟକୁ ଆସି ଗାଳି ଗୁଳଜ କରିବା ସହ ୱାର୍ଡର ସମସ୍ତ କାମ ବନ୍ଦ କରିବାକୁ ଧମକ ଦେଇଥିଲେ । ବର୍ତ୍ତମାନ ଆମର ବିଜେପି ସରକାର ଆସିଲା ତୁମେ ଏବେ କିଛି କାମ କରିପାରିବନାହିଁ କହି ଉଭୟଙ୍କୁ ଆକ୍ରମଣ କରିଥିଲେ ଦେବାଶିଷ । ଘଟଣା ଲୋକ ଲୋଚନକୁ ଆସିବା ପରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଓ ଏକାଧିକ କର୍ପୋରେଟର ବଡ଼ ବଜାର ଥାନାର ଦ୍ୱାରସ୍ଥ ହୋଇ ଉକ୍ତ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।ବର୍ତ୍ତମାନ ଉକ୍ତ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ଅସୀମ ପଣ୍ଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *