ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ, ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି ‌। ତାଙ୍କ ଅଫିସକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ମୁମ୍ବାଇ ପୋଲିସ ସଲମାନଙ୍କ ଘର ବାହାରେ ସୁରକ୍ଷା ବଢ଼ାଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ସଲମାନଙ୍କ ଅଫିସକୁ ପଠାଯାଇଥିବା ଇ-ମେଲରେ କୁହାଯାଇଛି, ଗୋଲ୍ଡି ଭାଇ (ଗୋଲ୍ଡି ବ୍ରାର) ସଲମାନ ଖାନଙ୍କ ସହ ମୁହାଁମୁହିଁ ବସି କଥା ହେବାକୁ ଚାହାଁନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ବିଷ୍ଣୋଇ ଓ ବ୍ରାରଙ୍କ ବ୍ୟତୀତ ଶନିବାର ଦିନ ଦିଆଯାଇଥିବା ଏତଲାରେ ରୋହିତ ନାମକ ଜଣେ ବ୍ୟକ୍ତିର ନାମ ରହିଛି। ବଠିଣ୍ଡା ଜେଲରେ ଥିବା ବିଷ୍ଣୋଇ ଏବଂ ଗୋଲଡି ବ୍ରାର୍ ହେଉଛନ୍ତି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ଅଭିଯୁକ୍ତ। ଏହି ଅଭିଯୋଗ ପ୍ରଶାନ୍ତ ଗୁଞ୍ଜଲକରଙ୍କ ତରଫରୁ ବାନ୍ଦ୍ରା ପୋଲିସ ନିକଟରେ ଦାଖଲ କରାଯାଇଛି। ପୋଲିସର ସୂଚନାନୁସାରେ, ଗୁଞ୍ଜଲକର ସଲମାନଙ୍କ ବାନ୍ଦ୍ରା ଘରକୁ ପ୍ରାୟତଃ ଯାଆନ୍ତି ଏବଂ ବଲିଉଡ୍ କଳାକାରମାନଙ୍କ ସହ ଜଡ଼ିତ ଏକ ମ୍ୟାନେଜମେଣ୍ଟ କମ୍ପାନୀ ଚଳାନ୍ତି।

ପୋଲିସର ସୂଚନାନୁସାରେ ଶନିବାର ଅପରାହ୍ନରେ ଗୁଞ୍ଜାଲକର ଗାଲାକ୍ସି ଆପାର୍ଟମେଣ୍ଟରେ ସଲମାନ ଖାନଙ୍କ ଅଫିସରେ ଥିବାବେଳେ ସେ ‘ରୋହିତ ଗର୍ଗ’ ଆଇଡିରୁ ଏକ ଇ-ମେଲ୍ ଆସିଥିବା ଦେଖିଥିଲେ। ଏହି ଇ-ମେଲ୍ ହିନ୍ଦୀରେ ଲେଖାଯାଇଥିଲା ଏବଂ କୁହାଯାଇଥିଲା ଯେ ସଲମାନ ଖାନ ନିଶ୍ଚିତ ଭାବେ ଲରେନ୍ସ ବିଷ୍ଣୋଇଙ୍କ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଦେଖିଥିବେ । ଯଦି ସେ ତାହା ଦେଖି ନାହାଁନ୍ତି ତେବେ ସେ ଏହାକୁ ଦେଖିବା ଉଚିତ୍। ଇ-ମେଲରେ କୁହାଯାଇଛି ଯେ ଯଦି ସଲମାନ ଏହି ମାମଲା ଶେଷ କରିବାକୁ ଚାହାଁନ୍ତି, ତେବେ ଗୋଲ୍ଡି ଭାଇଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା କରନ୍ତୁ। ଏବେ ବି ସମୟ ଅଛି.. ନଚେତ୍ ପରବର୍ତ୍ତୀ ସମୟରେ ଝଟକା ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ନିକଟରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ବିଷ୍ଣୋଇଙ୍କ ଏକ ସାକ୍ଷାତକାର ପ୍ରସାରଣ କରିଥିଲା । ଜୁନ୍ ୨୦୨୨ରେ ମଧ୍ୟ ଜଣେ ଅଜ୍ଞାତ ବ୍ୟକ୍ତି ସଲମାନ ଖାନଙ୍କୁ ଧମକ ଦେଇଥିଲେ। ଏନେଇ ସଲମାନଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ତାଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲା ।

Leave a Reply

Your email address will not be published. Required fields are marked *