ମ୍ୟାନ୍‌ମାର ସୈନ୍ୟଙ୍କ ବର୍ବରତା: ୧୯ ଜଣଙ୍କୁ ମାରି ଜାଳିଦେଲେ

ବ୍ୟାଙ୍କକ୍‌, ୧୩ା୫: ମ୍ୟାନ୍‌ମାରର ସାମରିକ ସରକାର ଅମଳରେ ସେନା ବର୍ବରତା ସୀମା ଲଙ୍ଘିଛି। ସୈନ୍ୟମାନେ ୪ ଶିଶୁଙ୍କ ସମେତ ୧୯ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳିଦେଇଛନ୍ତି। ବାଗୋ ଅଞ୍ଚଳର ନ୍ୟାୟୁଙ୍ଗ୍‌ ପିନ୍‌ ଥର୍‌ ଗ୍ରାମରେ ବୁଧବାର ସାମରିକ ଶାସନକୁ ବିରୋଧ କରୁଥିବା ପ୍ରତିରୋଧ ବଳର ଜବାବୀ କାର୍ଯ୍ୟାନୁଷ୍ଠାନରେ ସୈନ୍ୟମାନେ ଏଭଳି କାଣ୍ଡ ଭିଆଇଛନ୍ତି। ରେଡିଓ ଫ୍ରି ଏସିଆ ପକ୍ଷରୁ କୁହାଯାଇଛି, ପିପୁଲ୍ସ ଡିଫେନ୍ସ ଫୋର୍ସ ଏବଂ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଡିଫେନ୍ସ ଫୋର୍ସର ସହଯୋଗୀ କରେନ୍‌ ନ୍ୟାଶନାଲ ଲିବରେଶନ ଆର୍ମିର ବିଦ୍ରୋହୀମାନେ ସାମିଲ ହୋଇଥିଲେ। ରେଜିଷ୍ଟାନ୍ସ ଫୋର୍ସ ୨୦ ସୈନ୍ୟଙ୍କୁ ହତ୍ୟା କରିବା ସହ ୩ ଅଧିକାରୀଙ୍କୁ ପଣବନ୍ଦୀ ରଖିଥିଲା। ସୈନ୍ୟମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ୧୯ ଜଣଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଗ୍ୟାସୋଲିନ୍‌ ଓ ଡିଜେଲ ଢାଳି ମୃତଦେହଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ସେମାନେ ଗ୍ରାମର ଏକ ଦୋକାନରୁ ମଦ ନେଇ ପିଇଥିବା ଜଣେ କୃଷକ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ୨୦୨୧ ଫେବୃୟାରୀ ୧ରେ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ନର୍ବାଚିତ ସରକାରକୁ ହଟାଇ ସେନା କ୍ଷମତା ଦଖଲ କରିଥିଲା। ଏହାର ପ୍ରତିବାଦରେ ମ୍ୟାନ୍‌ମାରବାସୀ ଆନ୍ଦୋଳନ ଚଳାଇଥିବାବେଳେ ସେନା ପକ୍ଷରୁ ମାତ୍ରାଧିକ ବଳ ପ୍ରୟୋଗ ପୂର୍ବକ ଗଣହତ୍ୟା ଜାରି ରହିଛି, ଯାହାକୁ ଜାତିସଂଘ ନିନ୍ଦା କରିଛି। ଗତ ଫେବୃୟାରୀରୁ ଏପ୍ରିଲ ମଧ୍ୟରେ ସୈନ୍ୟମାନେ ୩୩ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *