ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ, ହେଲେ କଂଗ୍ରେସର କକ୍ଷ ତ୍ୟାଗ

ଭୁବନେଶ୍ୱର : ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ବିଧାନସଭା ଆରମ୍ଭରୁ ବିରୋଧୀ ଦଳ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ଏଥିସହ ବିରୋଧୀ ସଦସ୍ୟ କକ୍ଷ ତ୍ୟାଗ କରିଥିବା ଜଣାପଡିଛି ।

ତେବେ ରାଜ୍ୟପାଳ ଦିବଗଂତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଦେଇଥିଲେ । ଏଥିସହ ସହିଦ ଯବାନ ଓ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଦେଇଥିଲେ । ଏହାପରେ ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ।  କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲ ସେ କହିଛନ୍ତି । ଏଥିସହ ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ସରକାର ଶିଶୁ ଓ ଗର୍ଭବତୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ସମାଜର ସବୁ ବର୍ଗ ପାଇଁ ସରକାର କାମ କରୁଛନ୍ତି । ଜନସ୍ୱାସ୍ଥ୍ୟ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି  । ସେହିପରି  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ ବଡ଼ ସଫଳତା ପାଇଛି । କରୋନାରେ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଦିଆଯାଇଛି । ରାଜ୍ୟରେ କୋଭିଡ ପରିଚାଳନାକୁ ପ୍ରଶଂସା ମିଳିଛି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଖୁବ ସଫଳତା ମିଳିଛି । ସୁନ୍ଦରଗଡରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ମହିଳା ସଶକ୍ତିକରଣକୁ ମଧ୍ୟ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି । ମୋ ସରକାର ପାରଦର୍ଶିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ସରକାର କାମ କରୁଛନ୍ତି । ଷ୍ଟାର୍ଟଅପ୍ ଓଡ଼ିଶା ପଲିସି ସରକାର ଆଣିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଫ୍ଲିପକାର୍ଟ ସହିତ ବୁଝାମଣା ହୋଇଛି, ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ସରକାର କାମ କରୁଥିବା ରାଜ୍ୟପାଳ କହିଛନ୍ତି । କୋଣାର୍କ, ଭିତରକନିକା, ଦାରିଙ୍ଗବାଡି ଭଳି ଅଂଚଳରେ ଭିତ୍ତିଭୂମି ବିକାଶ ଚାଲିଛି । ୫ ହଜାର କିଲୋମିଟରରୁ ଅଧିକ ଗ୍ରାମ୍ୟ ସଡକ ନିର୍ମାଣ ହୋଇଛି । ରାଜ୍ୟରେ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ସରକାର ଉଦ୍ୟମ କରୁଛନ୍ତି ଏବଂ ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ଭାବେ ଉଭା ହୋଇଛି । ମହିଳା ଏସଏଚଜି ଗଠନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଥିବା ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ । ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବାଚସ୍ପତି, ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ।

ତେବେ ବିଗତ ୨ଟି ଅଧିବେଶନରେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନଆସି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ । ହେଲେ ଚଳିତ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ବିଧାନସଭା ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ରାଜ୍ୟପାଳ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *