ଇନ୍ଦିରା ହତ୍ୟାକାଣ୍ଡକୁ ନେଇ କାନାଡାରେ ଉତ୍ସବ

ନୂଆଦିଲ୍ଲୀ,୯ା୬: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡକୁ ନେଇ କାନାଡ଼ାରେ ଉତ୍ସବ ମନାଇବା ଘଟଣାକୁ ନୂଆଦିଲ୍ଲୀ କଡ଼ା ନିନ୍ଦା କରିଛି। କାନାଡ଼ାରେ ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀ ଓ ହିଂସାକୁ ସମର୍ଥନ କରୁଥିବା ଭାରତ ବିରୋଧୀ ତତ୍ତ୍ୱଙ୍କୁ ସ୍ଥାନ ଦିଆଯାଉଛି। ଏହା କାନାଡ଼ା ପାଇଁ ଏବଂ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ରଖିବା ପାଇଁ ଭଲ ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। କାନାଡ଼ାର ବ୍ରାମ୍ପଟନ୍‌ ସହରରେ ଇନ୍ଦିରାଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ସବ ପାଳନ ବେଳର ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ବହିର୍ବ୍ୟାପାର ମନ୍ତ୍ରୀ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ପଛରେ ବଡ଼ ପ୍ରସଙ୍ଗ ସମ୍ପୃକ୍ତ ଥାଇପାରେ। ଭୋଟବ୍ୟାଙ୍କ ରାଜନୀତିର ଆବଶ୍ୟକତା ବ୍ୟତୀତ କିଏ କାହିଁକି ଏପରି କରିବ ତାହା ବୁଝାପଡ଼ୁନାହିଁ ବୋଲି ଜୟଶଙ୍କର କହିଛନ୍ତି।
ସୋସିଆଲ ମିଡିଆରେ ପ୍ରକାଶିତ ଭିଡିଓ ଏକ ପରେଡ୍‌ର ଅଂଶବିଶେଷ ଥିଲା। ବ୍ରାମ୍ପଟନ୍‌ର କେତେଜଣ ଖଲିସ୍ତାନୀ ଏହି ପରେଡ୍‌ର ଆୟୋଜନ କରିଥିଲେ। ଅନ୍ୟପକ୍ଷରେ କାନାଡ଼ାରେ ଘୃଣା କିମ୍ବା ହିଂସାକୁ ଗୌରବାନ୍ବିତ କରାଯିବାର ସ୍ଥାନ ନାହିଁ ବୋଲି ଭାରତରେ ଏହାର ଉଚ୍ଚାୟୁକ୍ତ କାମେରନ ମାକି ଟୁଇଟ୍‌ କରିଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ସବ ମନାଇବା ଘଟଣାକୁ ସେ ନିନ୍ଦା କରିଛନ୍ତି। କାନାଡ଼ାରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା କେତେକ ଭାରତୀୟ ଛାତ୍ରୀଛାତ୍ର ସେଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ନେଇ କାନାଡ଼ା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜୟଶଙ୍କର କହିଛନ୍ତି। ଇନ୍ଦିରା ହତ୍ୟାକାଣ୍ଡର ସେଲିବ୍ରେଶନ ଘଟଣାରେ କାନାଡ଼ା କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ପ୍ରତିବାଦ ଜଣାଇବା ପାଇଁ କଂଗ୍ରେସ ଜୟଶଙ୍କରଙ୍କୁ ନିବେଦନ କରିଛି।

Leave a Reply

Your email address will not be published. Required fields are marked *