ସିବିଆଇର ବଡ଼ ଖୁଲାସା ! ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ବେଳେ ବିଦେଶରେ ୩୩୦ କୋଟିର ସମ୍ପତ୍ତି କିଣିଥିଲେ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ୨୦୧୫-୧୬ରେ ଇଂଲଣ୍ଡ ଓ ଫ୍ରାନ୍ସରେ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଥିଲେ। କୋର୍ଟରେ ଦାଖଲ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ସିବିଆଇ ଏପରି ଖୁଲାସା କରିଛି। ଯେତେବେଳେ ତାଙ୍କ କିଙ୍ଗଫିସର ଏୟାରଲାଇନ୍ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ଓ ସେ ବ୍ୟାଙ୍କ ଋଣ ସୁଝିନଥିଲେ ସେତେବେଳେ ମାଲ୍ୟା ବିଦେଶରେ ଏହି ସବୁ ସମ୍ପତ୍ତି କିଣିଥିଲେ।

ଆଇଡିବିଆଇ ବ୍ୟାଙ୍କର ୯୦୦ କୋଟି ଠକେଇ ମାମଲାରେ ମାଲ୍ୟା ହେଉଛନ୍ତି ଅଭିଯୁକ୍ତ। ସିବିଆଇ ଏହି ମାମଲାର ତଦନ୍ତ କରୁଛି। ନିକଟରେ ସିବିଆଇ ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ମୁମ୍ବାଇ କୋର୍ଟରେ ଦାଖଲ କରିଥିଲା । ପୁରୁଣା ଚାର୍ଜସିଟରେ ନାମିତ ୧୧ ଜଣ ଅଭିଯୁକ୍ତଙ୍କ ବ୍ୟତୀତ ସିବିଆଇ ସାନି ଚାର୍ଜସିଟରେ ଆଇଡିବିଆଇ ବ୍ୟାଙ୍କର ପୂର୍ବତନ ଜେନେରାଲ ମ୍ୟାନେଜର ବୁଦ୍ଧଦେବ ଦାସଗୁପ୍ତାଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରିଛି।

କେନ୍ଦ୍ରୀୟ ସଂସ୍ଥା ଅଭିଯୋଗ କରିଛି ଯେ ଦାସଗୁପ୍ତା ତାଙ୍କ ପଦର ଅପବ୍ୟବହାର କରି ଆଇଡିବିଆଇର ଅନ୍ୟ ଅଧିକାରୀ ଓ ବିଜୟ ମାଲ୍ୟାଙ୍କ ସହ ମିଶି ଅକ୍ଟୋବର ୨୦୦୯ରେ ୧୫୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଋଣ ମାମଲାରେ ଷଡ଼ଯନ୍ତ୍ର କରିଥିଲେ। ୨୦୧୫-୧୬ ମଧ୍ୟରେ ମାଲ୍ୟା ବ୍ରିଟେନରେ ୮୦ କୋଟି ଟଙ୍କାର ସମ୍ପତ୍ତି କିଣିଥିଲେ । ଏହାଛଡ଼ା ୨୦୦୮ ମସିହାରେ ଫ୍ରାନ୍ସରେ ସେ ୨୫୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଥିଲେ। ତାଙ୍କ ଏୟାରଲାଇନ୍ସ କମ୍ପାନୀ କିଙ୍ଗଫିସର ଆର୍ଥିକ ସଙ୍କଟରେ ବୁଡି ରହିଥିବା ବେଳେ ଓ ବିଭିନ୍ନ ବ୍ୟାଙ୍କ ତାଙ୍କୁ ଦେଇଥିବା ଋଣ ଆଦାୟ କରିନଥିବା ବେଳେ ମାଲ୍ୟା ବିଦେଶରେ ଏହି ସବୁ ସମ୍ପତ୍ତି କିଣିଥିଲେ ବୋଲି ସିବିଆଇ ଚାର୍ଜସିଟରେ ଦାବି କରିଛି ।

ଚାର୍ଜସିଟରେ କୁହାଯାଇଛି ଯେ ୨୦୦୮ ରୁ ୨୦୧୬-୧୭ ମଧ୍ୟରେ ମାଲ୍ୟାଙ୍କ ପାଖରେ ପ୍ରଚୁର ଅର୍ଥ ଥିଲା । କିନ୍ତୁ ସେ ଡୁବୁଥିବା ତାଙ୍କ ବିମାନ କମ୍ପାନୀକୁ ଉଦ୍ଧାର କରିବାକୁ ଆଦୌ ଆଗ୍ରହ ଦେଖାଇନଥିଲେ କି ବ୍ୟାଙ୍କ ଋଣ ସୁଝିନଥିଲେ ।ସିବିଆଇ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଛି। ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ୫ ଜାନୁଆରୀ ୨୦୧୯ରେ ମାଲ୍ୟାଙ୍କୁ ‘ପଳାତକ’ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *