ଏସ୍.ସି.ଏସ୍ ରେ ସାମନ୍ତ ଚନ୍ଦ୍ରଶେଖରଙ୍କ ଜୟନ୍ତୀ ପାଳନ

ପୁରୀ, ୧୬/୧୨ : ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ୧୮୭ ତମ ଜୟନ୍ତୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ଯକ୍ଷା ପ୍ରଫେସର ସୁଜାତା ମିଶ୍ର ସଭାପତିତ୍ଵ କରି ସାମନ୍ତ ଚନ୍ଦ୍ରଶେଖରଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ। ପ୍ରତିକୂଳ ପରିସ୍ଥିତିରେ ମଣିଷ କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ଏହା ସାମନ୍ତ ଚନ୍ଦ୍ରଶେଖରଙ୍କ ବ୍ୟକ୍ତିତ୍ଵରୁ ବିଦ୍ୟାର୍ଥୀମାନେ ଶିକ୍ଷା କରିବା ଉଚିତ୍ ବୋଲି ଅଧ୍ୟକ୍ଷା କହିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନ ଓ ସୃଜନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ‘ସିଦ୍ଧାନ୍ତ ଦର୍ପଣ’ ଏକ ଉଚ୍ଚକୋଟୀର ଗବେଷଣାତ୍ମକ ଗ୍ରନ୍ଥ ବୋଲି ସେ ଅଭିହିତ କରିବା ସହିତ ସମକାଳରେ ଏହି ଗ୍ରନ୍ଥର ପ୍ରାସଙ୍ଗିକତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏପରି ଏକ ଦୁର୍ଲଭ ଗବେଷଣାରୁ ପ୍ରେରିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଦିଲୀପ କୁମାର ସ୍ୱାଇଁ ସମଗ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପିକା ସସ୍ମିତା ପରମାଣିକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶୈକ୍ଷିକ, ଅଣଶୈକ୍ଷିକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କ୍ଷମତା ଦେବୀ ଓ କମ୍ବୁପାଣି ମଲ୍ଲିକ ଏହି ଜୟନ୍ତୀ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।