ଚାଇନାର ସାମରିକ ଉଗ୍ରତା ବିପଜ୍ଜନକ

ଓ୍ବାଶିଂଟନ୍‌,୭ା୬: ତାଇଓ୍ବାନ୍‌ ପ୍ରଣାଳୀ ଏବଂ ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ବେଜିଂର କ୍ରମବଦ୍ଧିଷ୍ଣୁ ସାମରିକ ଉଗ୍ରତାକୁ ଆମେରିକା ନିନ୍ଦା କରିଛି। ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ପରିପ୍ରେକ୍ଷୀରେ ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ଚାଇନାର ଆକ୍ରମଣାମତ୍କ ଆଭିମୁଖ୍ୟର ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ଆକାଶରେ ବିମାନ ଓ ସମୁଦ୍ରରେ ଜାହାଜ ଚଳାଚଳର ସ୍ବାଧୀନତାକୁ ଆମେରିକା ସମର୍ଥନ ଦେବା ଜାରି ରଖିବ। ବେଜିଂ ଯାହା କରୁଛି, କିଭଳି ସେସବୁକୁ ଯଥାର୍ଥ ଦର୍ଶାଇବ ତାହା ଉପରେ ନଜର ରଖିଛୁ। ଆକାଶ ଓ ସମୁଦ୍ରରେ ସବୁବେଳେ ମୁକାବିଲା ସ୍ଥିତି ଲାଗିରହିଥାଏ। କିନ୍ତୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଆମେ ଯେତେବେଳେ ଅନୁଭବ କରୁ, ଉପଯୁକ୍ତ ପଦକ୍ଷେପ ନେଇଥାଉ। ସମ୍ପୃକ୍ତ ଅଞ୍ଚଳରେ ଆମେରିକାର ଉପସ୍ଥିତିକୁ ନାପସନ୍ଦ କରୁଥିବା ବେଜିଂ ଆମେରିକୀୟ ଜାହାଜ ଓ ବିମାନଗୁଡ଼ିକୁ ଅଟକାଇବାକୁ ଚାହେଁ। ଏହା କେବେ ସଫଳ ହେବ ନାହିଁ ବୋଲି କିର୍ବି କହିଛନ୍ତି। ଅନ୍ୟପକ୍ଷେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି, ବେଜିଂର ପଦକ୍ଷେପ ସମ୍ପୂର୍ଣ୍ଣ ଯଥାର୍ଥ, ବୈଧ, ପେସାଦାର ଓ ସୁରକ୍ଷିତ।
ତାଇଓ୍ବାନ୍‌ ପ୍ରଣାଳୀର ସମ୍ବେଦନଶୀଳ ଜଳପଥରେ ଚାଇନାର ଯୁଦ୍ଧଜାହାଜ ଆମେରିକୀୟ ଡେଷ୍ଟ୍ରୟର ସାମ୍ନାରେ ଅତିକ୍ରମ କରୁଥିବା ବେଳର ଭିଡିଓକୁ ରବିବାର ଆମେରିକା ନୌସେନା ଜାରି କରିଥିଲା। ଦୁଇଦେଶର ସୁରକ୍ଷା ବଳ ତାଇଓ୍ବାନ୍‌ ପ୍ରଣାଳୀ ଓ ଏସ୍‌ସିଏସ୍‌ରେ ମୁହଁାମୁହିଁ ହେବା ବିପଜ୍ଜନକ ବୋଲି ହ୍ବାଇଟ୍‌ ହାଉସ୍‌ କହିଛି। ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ଓ ତାଇଓ୍ବାନ୍‌ଠୁ ନେଇ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପର୍ଯ୍ୟନ୍ତ ପ୍ରସଙ୍ଗକୁ ନେଇ ଟଣାଓଟରା ଲାଗିରହିଥିବାବେଳେ ଆଗକୁ ଆହୁରି ଅଧିକ ମୁକାବିଲାମୂଳକ ସ୍ଥିତି ଉପୁଜିପାରେ।
ପ୍ରକାଶ ଯେ, ମେ’ ୨୬ରେ ଚାଇନାର ଏକ ଫାଇଟର ଜେଟ୍‌ ଏସ୍‌ସିଏସ୍‌ ଆକାଶରେ ଆମେରିକୀୟ ସେନାର ଏକ ବିମାନ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲା। ଓ୍ବାଶିଂଟନ୍‌ ଏହାକୁ ଅନାବଶ୍ୟକ ଭାବେ ଆକ୍ରମଣାମତ୍କ ଆଭିମୁଖ୍ୟ ବୋଲି ଅଭିହିତ କରିଥିଲା। ସେହିପରି ଆମେରିକୀୟ ଡେଷ୍ଟ୍ରୟର ଚୁଙ୍ଗ୍‌-ହୁନ୍‌ ଏବଂ କାନାଡୀୟ ଫ୍ରିଗେଟ୍‌ ମୋଣ୍ଟେରିଆଲ ଶନିବାର ତାଇଓ୍ବାନ୍‌ ଷ୍ଟ୍ରେଟ୍‌ରେ ଟ୍ରାଞ୍ଜିଟ୍‌ କରୁଥିବାବେଳେ ଚାଇନାର ଏକ ଜାହାଜ ମାତ୍ର ୧୩୭ ମିଟର ବ୍ୟବଧାନରେ ଅତିକ୍ରମ କରିଥିଲା। ଏହାସତ୍ତ୍ୱେ ଚୁଙ୍ଗ୍‌-ହୁନ୍‌ ନିଜ ପଥ ବଦଳାଇ ନ ଥିଲା। ଆମେରିକା ନୌସେନା ଏହାର ଏକ ଭିଡିଓ ଜାରି କରିଛି।

Leave a Reply

Your email address will not be published. Required fields are marked *