ତିନିରଥର ପ୍ରଥମ, ଦ୍ବିତୀୟ ଭୂଇଁ ଓ ଆଗ ଭୂଇଁ ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ

ପୁରୀ,୨୬/୫-ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ଯ ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ରଥଖଳାକୁ ପର୍ଯ୍ଯାୟ କ୍ରମେ ରଥକାଠ ଆସି ପହଞ୍ଚୁଛି । ରବିବାର ଦିନ ଏକ ଟ୍ରକରେ ରଥକାଠ ପୁରୀରେ ରଥଖଳାରେ ପହଞ୍ଚିଥିଲା । ସେଥିରେ ଆସିଥିବା କାଠ ମଧ୍ଯରେ ୪୦ ଫୁଟିଆ ୧୦ ଖଣ୍ଡ ଧଉରା ଏବଂ ୨୨ ଖଣ୍ଡ ରହିଛି କାଠ ଗୁଡିକ ବୌଦ୍ଧ କଣ୍ଟାମାଳ ବନଖଣ୍ଡରୁ ଆସିଥବା ଜଣାପଡିଛି ରଥଖଳାରେ ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂଜା ସହ ଭୂଇଁ ଚଉତାର ପାଖୁଡା ବିନ୍ଧ ଶେଷ ହୋଇଯାଇଛି । ରବିବାର ଭୋଇ ସେବକ ମାନେ ତିନିରଥର ତୁମ୍ବରେ ସିଙ୍ଗଡା ବାଡିଆ କାର୍ଯ୍ଯ ଯନ୍ତା ଗାଡରେ ଶେଷ କରିଥିଲେ । ଶେଷ ସିଙ୍ଗଡା ବାଡିଆ ତୁମ୍ବ ତିନିରଥର ଚାଳି ମହାରଣା ମାନଙ୍କୁ ହସ୍ତାନ୍ତର କରିବା ପରେ ଯନ୍ତାଗାଡ ପୋତାପର୍ବ ଭୋଇ ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା । ତିନିରଥର ପ୍ରଥମ ଭୂଇଁ, ଦ୍ବିତୀୟ ଭୂଇଁ ଓ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ଟି ଲେଖାଁଏ ୨୦ ଫୁଟିଆ ଚଉପଟ ଭୂଇଁ ଚଉତା କାଠର ବିନ୍ଧ ଅନୁକୂଳ ପୂଜା ତିନିରଥର ମୁଖ୍ଯ ମହାରଣାଙ୍କ ଦ୍ବାରା ଶେଷ ହୋଇଛି ।

ଚଉତା କାଠ ଗୁଡିକରେ ୫ଟି ଲେଖାଁଏ ପାଖୂଡା ବିନ୍ଧ କାମ ସରିଛି । ତିନିରଥର ୪୨ ଯୋକାର ନିର୍ମାଣ କାର୍ଯ୍ଯ ସରିଛି । ୧୮ ଫୁଟିଆ ଯୋକା ଗୁଡିକ ରଥର ଅଖ,କୁଡୁକା, ଗୟଳ ଓ ନିରାଡିକୁ ମଜବୁତ କରି ବାନ୍ଧି ରଖିବାରେ ସହାୟକ ହୋଇଥାଏ । ତିନିରଥର ୮ ଟି ଲେଖାଁଏ ୨୦ ଫୁଟିଆ ୧୪ ନାହାକର ଚଉପଟ କମ ସରିଛି । ସେଗୁଡିକର ଆଠକଣି କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ସୋମବାର ସୁଦ୍ଧା ତିନିରଥର ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ରୂପକାର ମାନେ କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାମ କରୁଛନ୍ତି । ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକରେ ପଲିସି କରି ଅଳଙ୍କାର କାର୍ଯ୍ଯ ଜାରି ରଖିଛନ୍ତି । ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥର ଘଡି ମୁହଁ ଦଣ୍ଡାକଣ୍ଟା ,ଦଣ୍ଡା ବିଡିଆ ଓ ଅଗ ପାତେଳି କଣ୍ଟା ନିର୍ମାଣ କାର୍ଯ୍ଯ କରୁଛନ୍ତି । ପରମ୍ପରା ଅନୁଯାଇ ସ୍ନାନ ପୂର୍ଣ୍ଣିମା ଦିନ ଚାରି ନାହାକା ଉଠିବା ପାଇଁ ବିଧି ରହିଛି ।