ମଶାଣି ଜମିରୁ ବେଆଇନ ଗଛ କାଟିଲେ କାଉନସିଲର

ମଶାଣି ଜମିରୁ ବେଆଇନ ଗଛ କାଟିଲେ କାଉନସିଲର କାଠ ଜବତ କରି ଗାଡିକୁ ଛାଡିଦେଲା ବନବିଭାଗ କୋଣାର୍କ: ଗୋଟିଏ ପଟେ ବନମହୋତ୍ସବ ପାଳନ କରି କୋଟି କୋଟି ଟଙ୍କା ଖର୍ଚ୍ଚ ଅନ୍ୟ ପଟେ ଦିନ ଦ୍ବିପହରରେ ରାସ୍ତା କଡ଼ରୁ ବେଧଡକ ଚାଲିଛି ଗଛ କଟା। ଛୁଟି ଦିନ ଦେଖି ରାସ୍ତା କଡ଼ରୁ ବେଆଇନ ଭାବେ ଗଛ କାଟୁଛନ୍ତି କାଠ ମାଫିଆ। ରବିବାର କୋଣାର୍କ-କାକଟପୁର ରାସ୍ତାର ସରକାରୀ ମଦ ଦୋକାନ ନିକଟ ରାସ୍ତା କଡ଼ରେ ଥିବା ମଶାଣି ଜମିରୁ ବେଆଇନ ଭାବେ ଝାଉଁ ଗଛ କଟାଯାଇଛି। ଏହି ଗଛ କାଟିଛନ୍ତି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ୬ନଂ ଓ୍ବାର୍ଡର କାଉନସିଲର ବିଶ୍ବନାଥ ବିଶ୍ବାଳ। ନିଜର ପଦବୀକୁ ଢାଲ କରି ମନମୁଖୀ କାଟିଛନ୍ତି ଗଛ।ଖବର ପାଇ ଗଛ କଟାଯାଉଥିବା ସ୍ଥାନରେ ଗଣମାଧ୍ୟମ ପ୍ରତିନିଧି ଭିଡିଓ ଉତ୍ତୋଳନ କରିବା ସମୟରେ ଏହା କରିବାକୁ ବାରଣ କରି ଭିଡିଓକୁ ଡିଲେଟ କରିବା ସହ ଭିଡିଓ କଲେ ଭଲ ହେବନି ବୋଲି କହିଥିଲେ କାଉନସିଲର। ଅପର ପକ୍ଷରେ ଖବର ପାଇ ଘଟଣାସ୍ଥଳରେ କୋଣାର୍କ ବନବିଭାଗର ଫରେଷ୍ଟର ରବିନ୍ଦ୍ର ସ୍ବାଇଁ ପହଞ୍ଚି ଗାଡି ସହିତ କାଠକୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ କାଠକୁ ରଖି ଗାଡିଟିକୁ ଛାଡି ଦେଇଥିଲେ। ଏନେଇ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଫରେଷ୍ଟର ଗାଡିଟିକୁ ଭଡ଼ାରେ ଆଣି ଜବତ କାଠକୁ କାର୍ଯ୍ୟାଳୟକୁ ଆଣିଥିବା କହିଥିଲେ। ଯାହା ସମ୍ପୂର୍ଣ ମିଛ ଥିବା ସ୍ପଷ୍ଟ ହୋଇଥିଲା। ରବିବାର ସକାଳେ ବେଆଇନ ଗଛ କଟାଯାଉଥିବା ନେଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଗୋଟିଏ ମାଲବାହୀ ଅଟୋ ନଂ ଓଡି୧୩ ଏଫ ୧୧୪୫ ଗାଡି ଗଛ କଟା ଯାଉଥିବା ସ୍ଥାନରେ ରହିଥିବା ବେଳେ ସେଥିରେ ଖଣ୍ଡିଏ ଝାଉଁ କାଠ ଲଦା ଯାଇଥିଲା। ପରବର୍ତ୍ତୀ ସମୟରେ ବନ ବିଭାଗ ସେହି ଗାଡି ସହ କାଠ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ନେଇ କାଠ ରଖି ଗାଡିଟିକୁ ଭଡ଼ାରେ ଆଣିଥିବା ଦର୍ଶାଇ ଛାଡି ଦେଇଥିଲା।ଫରେଷ୍ଟର ରବିନ୍ଦ୍ର ସ୍ବାଇଁଙ୍କ ଏପରି ମନମୁଖୀ କାମ ତାଙ୍କର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶାସକ ଦଳର ଚାପରେ ଚେପା ହୋଇ ଗାଡିଟିକୁ ଛାଡି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପରୋକ୍ଷରେ ବନବିଭାଗ ବେଆଇନ ଗଛ କଟାକୁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଏନେଇ ରେଞ୍ଜରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି।ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ ପ୍ରଦସ୍ଥ ଅଧିକାରୀ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *