କ୍ରେନକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଟ୍ରେଲର

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ କଳାପାହାଡ଼ ଗଡାଣି ରାସ୍ତାରେ ଶୁକ୍ରବାର ସକାଳ ସମୟରେ ଏ ଖଣିଜ ବୋଝେଇ ଟ୍ରଲର ପଛ ପଟୁ ଏକ କ୍ରେନକୁ ଧକ୍କା ଦେବାରୁ କ୍ରେନଟି ରାସ୍ତା ମଝିରେ ଓଲଟି ପଡିଛି ଏବଂ ଟ୍ରେଲରଟି ରାସ୍ତାରୁ ଓହ୍ଲାଇ ୫ଫୁଟ ତଳକୁ ଖସି ଯାଇଛି । ଉଭୟ ଗାଡିରୁ କେହି ଆହତ ହୋଇ ନଥିବା ବେଳେ ଦୀର୍ଘ ୨ଘଣ୍ଟା ଧରି ସଂମ୍ପୃକ୍ତ ରାସ୍ତାଟି ଯାମ ରହିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଗୁଡିକର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଖଣିଜ ବୋଝେଇ ଗାଡି ଗୁଡିକ ରାସ୍ତାରେ ଖୁବ୍ ବେପାରୁଆ ଭାବେ ଦୃତ ଗତିରେ ଯାଉଥିବାରୁ ଅନେକ ସମୟରେ ଦୃଘଟଣା ମାନ ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ଘଟୁଛି । ଗୋଟିଏ ଦିନ ପୂର୍ବରୁ ସଂମ୍ପୃକ୍ତ ସ୍ଥାନରେ ଏକ ଅଜଣା ଗାଡି ଧକ୍କାରେ ଯୋଡା ବନେଇକଳା ଅଞ୍ଚଳର ବେଲମଣୀ ମୁଣ୍ଡା ନାମକ ଏକ ମହିଳା ଗୁରୁତର ଆହତ ହୋଇ ଟାଟା ଷ୍ଟିଲ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ଘଟିବାର ୨୪ଘଣ୍ଟା ପୁରିନାହିଁ ସେହି ସ୍ଥାନରେ ଅନ୍ୟ ଏକ ଦୁର୍ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି । ଏପରି ଉତ୍ସୃଙ୍ଖଳିତ ଗାଡି ଚଳାଚଳ ପ୍ରତି ପ୍ରଶାସନ ଅଙ୍କୁଶ ନଲଗାଇଲେ ଆଗାମୀ ଦିନରେ ଜୀବନ ନେଇ ଘରକୁ ଫେରିବା ଅସମ୍ଭବ ବୋଲି ଲୋକମାନଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଥିବା କୁହାଯାଉଛି।
ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ