ଦଶ ପଇସାର ରଜା ଦାସିଆ ଅଜାଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ

ନୟାଗଡ଼ :-ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ଠାରେ ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ (ଦଶ ପଇସାର ରଜା ଦାସିଆ ଅଜା) ଙ୍କ ଆଜି ୨୬ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥି ମାନେ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧୀ ପୀଠରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସାନ୍ଧ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେବା ସହ ସମ୍ମାନିତ ଅତିଥି ନୟାଗଡ଼ ଉପଜିଲ୍ଲାପାଳ ଶଶିକାନ୍ତ ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର , ଅତିରିକ୍ତ ତହସିଲଦାର କବିରାଜ ସେଠି,ଶ୍ରମିକ ନେତା ବିଶ୍ବନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ଦାସିଆ ଅଜାଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିବା ସହ ସ୍ମରଣିକା ପୁସ୍ତକ ଉନ୍ମୋଚନ କରିଥିଲେ। ସୂଚନା ଅନୁସାରେ ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ପାଠପଢା ରୁ ହିଁ ଥିଲା ଓଡ଼ିଶା ଯାତ୍ରା। ଗାଁ ଠାରୁ ସହର ବଜାର ବୁଲି ବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ। ମୁଣ୍ଡରେ ଗାମୁଛା ପଗଡି,ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି , ମୁଠାଏ ମୁଢ଼ି ଓ କପେ ନାଲି ଚା ରେ କାଟୁଥିଲେ ତାଙ୍କର ଜୀବନ ଶୈଳୀ । ବିଭିନ୍ନ ଦେଶ ବିଦେଶ ବୁଲି ବହୁ ପୁରାତନ ପୁସ୍ତକ, ପତ୍ର ପତ୍ରିକା , ତାଳ ପୋଥି ଆଦି ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିଲେ। ପ୍ରତିଦିନ ୧୦୦ ରୁ ଉର୍ଦ୍ଧ୍ବ ପୋଷ୍ଟ କାର୍ଡ ଲେଖିବା ଥିଲା ତାଙ୍କର ନିଶା। ଗ୍ରାମୀଣ ପରିବେଶରେ ଥାଇ ମଧ୍ୟ ସେ ଦେଖିଥିଲେ ଉତ୍କଳୀୟ ସାଂସ୍କୃତିକ ଚେତନା ଜାଗରଣର ସ୍ୱପ୍ନ। ଏକ ନିପଟ ପାହାଡ଼ ପର୍ବତ ଘେରା ଜଙ୍ଗଲ ମଫସଲ ଗାଁ ଉଦୟପୁରରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ ସାହିତ୍ୟ ସଂସଦ ଓ ଗବେଷଣା କେନ୍ଦ୍ର, ଯାହାକି ସମଗ୍ର ବିଶ୍ଵରେ ବିରଳ ଓ ବିସ୍ମୟ। ପାଠାଗାର ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାର ଦୁଇ ଲକ୍ଷରୁ ଅଧିକ ପୁସ୍ତକ, ପତ୍ରପତ୍ରିକା , ତାଳ ପୋଥି ଏବଂ ଅନ୍ୟାନ୍ୟ ଉପକରଣ ଗଚ୍ଛିତ ଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଜନସମାଗମ ଯୋଗଦେବା ସହିତ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଥିବା ବହୁ ପୁରାତନ ଉପକରଣ ଦେଖି ଖୁସି ହେବା ସହ ଏହା ପୃଥିବୀର ଏକ ଅବିସ୍ମରଣୀୟ ସଂଗ୍ରହାଳୟ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *