ଚନ୍ଦ୍ରଭାଗା ସମୁଦ୍ରରୁ ମୃତ ହରିଣ ଉଦ୍ଧାର

ଚନ୍ଦ୍ରଭାଗା ସମୁଦ୍ରରୁ ମୃତ ହରିଣ ଉଦ୍ଧାର ଖାଦ୍ୟ ଅନ୍ବେଷଣରେ ଆସି ପଡିଲା ମୃତ୍ୟୁ ମୁଖରେ ବନବିଭାଗ ନିଦ୍ରାରେ କୋଣାର୍କ: ଅସୁରକ୍ଷିତ ବାଲୁଖଣ୍ଡ ଅଭୟାରଣ୍ୟ। ଏକଦା ନିର୍ଭୟରେ ବିଚରଣ କରୁଥିବା ଜୀବଜନ୍ତୁ ଏବେ ବିପଦ ଘେରରେ। ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ପାଇଁ ଦେଖାଦେଇଛି ଖାଦ୍ୟାଭାବ। ଖାଦ୍ୟ ଏବଂ ପାନୀୟ ଜଳ ଅଭାବରୁ ଅନେକ ସମୟରେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସି ବିଭିନ୍ନ ସମୟରେ ମୃତ୍ୟୁ ମୁଖରେ ପଡୁଛନ୍ତି ହରିଣ। ରାଜ୍ୟ ସରକାରଙ୍କ ବିଭାଗୀୟ ପ୍ରଶାସନିକ ବ୍ୟବସ୍ଥାରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଅନୁଦାନକୁ କେବଳ କାଗଜ କଲମରେ ଦର୍ଶାଯାଉଛି।ବିଗତ ୧୦ବର୍ଷ ମଧ୍ୟରେ ହରିଣଙ୍କ ସଂଖ୍ୟା ମାତ୍ରାଧିକ ହ୍ରାସ ପାଇଥିବା ପରିବେଶବିତମାନେ କହିଛନ୍ତି। ଅଭୟାରଣ୍ୟରୁ କାଠ ମାଫିଆ ବେଧଡକ ଗଛ କାଟି ବିକ୍ରି କରିବା ଯୋଗୁଁ ଜଙ୍ଗଲରେ ଦେଖାଦେଉଛି ଖାଦ୍ୟ ଏବଂ ପାନୀୟ ଜଳ ସମସ୍ୟା। ଫଳରେ ହରିଣମାନେ ଜନବସତି ମୁହାଁ ହୋଇ ଶିକାରୀମାନଙ୍କ ଫାଶରେ ପଡି ପ୍ରାଣ ହରାଉଥିବା ନଜର ଆସୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଚନ୍ଦ୍ରଭାଗାରେ। ଗୁରୁବାର ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ରରେ ଏକ ଚିତ୍ରା ହରିଣ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ହରିଣଟି ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଚନ୍ଦ୍ରଭାଗା ବଜାରକୁ ଆସିଥିବା ବେଳେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ସମୁଦ୍ର ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି।ହରିଣଟିକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *