ଦିଲ୍ଲୀ ବେହାଲ : ୧୨ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ, ଜଳସ୍ତର ବଢିବାରେ ଲାଗିଛି

ନୂଆଦିଲ୍ଲୀ: ଦିଲ୍ଲୀ ଏବେ ବେହାଲ, ଯମୁନା ନଦୀ ଯୋଗୁ ଦିଲ୍ଲୀରେ ବନ୍ୟା। ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି। ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ଏବେ ସମସ୍ତ ସ୍କୁଲ୍‌ ଏବଂ କଲେଜ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ବୈଠକ କରିବାପରେ ରାଜ୍ୟରେ ସମସ୍ତ ସ୍କୁଲ୍‌ ଏବଂ କଲେଜ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏମର୍ଜେନ୍ସି ‌ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ ବନ୍ଦ ରହିଛି। ଘରୋଇ ଅଫିସଗୁଡ଼ିକ ୱାର୍କ ଫ୍ରମ ହୋମ୍‌ ଫର୍ମୁଲାରେ ଚାଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ୧୨ ଏନଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ପାଣି ପଶିଯିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଉତ୍ତର ଦିଲ୍ଲୀରେ ଏକ ସରକାରୀ ପରିଚାଳିତ ଟ୍ରମ‌ା ସେଣ୍ଟରରେ ପାଣି ପଶିଯିବାରୁ ୪୦ ରୋଗୀଙ୍କୁ ଏଠାରୁ ଏଲଏନଜେପି ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି। ନଦୀ ଜଳ ପଶିଯିବାରୁ ପୋସ୍‌ ସିଭିଲ ଲାଇନ୍ସ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ସୁପ୍ରିମ କୋର୍ଟ ନିକଟରେ ମଧ୍ୟ ପହଞ୍ଚିବାକୁ ଗଲାଣି ପାଣି। ବନ୍ୟାଜଳ ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଛି। ତଳିଆ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କୁ ଖାଲି କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କ ସହଯୋଗ ଲୋଡ଼ିଛନ୍ତି।

ନଦୀ ଜଳସ୍ତର  ୨୦୮.୬୬ ମିଟରରେ ପହଞ୍ଚିଛି ଏବଂ ଏହା ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୭୮‌ରେ ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ସର୍ବାଧିକ ୨୦୭.୪୯ ମିଟର ଥିଲା। ତେବେ ଶୁକ୍ରବାର ସକାଳ ସୁଦ୍ଧା ଯମୁନା ନଦୀ ଜଳସ୍ତର କମିବ ବୋଲି ସିଡବ୍ଲ୍ୟୁସି (କେନ୍ଦ୍ରୀୟ ଜଳ କମିସନ୍‌) ନି‌ର୍ଦ୍ଦେଶକ ଶରଦ ଚନ୍ଦ୍ର କହିଛନ୍ତି। ହରିୟାଣାର ହଥନିକୁଣ୍ଡ ବ୍ୟାରେଜରେ ଜଳ ସ୍ତର ଆଜି ଅପରାହ୍ନରେ ୮୦ ହଜାର କ୍ୟୁସେକ୍‌କୁ କମିବାପରେ ଯମୁନା ଜଳସ୍ତର ସ୍ଥିର ରହିଛି ବୋଲି ସେ କହିଛନ୍ତି। ବନ୍ୟା ପାଇଁ ଦିଲ୍ଲୀରେ ୩ଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *