ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଲକ୍ଷ୍ମୀପୁର, ୧୨/୫- ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଆଜି ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ମଦନମୋହନ ନାୟକ, ସମ୍ପାଦକ ପରମେଶ୍ୱର ପାତ୍ର, ରାଜ୍ୟ ସମ୍ପାଦକ ଚନ୍ଦ୍ରକାନ୍ତ ସୁତାର, ରାଜ୍ୟ ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼ଙ୍କ ପକ୍ଷରୁ ଏଥିରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ଏସଇବିସିଙ୍କ ସ୍ଥିତି ସମ୍ପର୍କରେ ସର୍ଭେ କରୁଛନ୍ତି, ସେଥିରେ ଗୋଟିଏ ପରିବାରର ମୁଖ୍ୟ ସଦସ୍ୟ ସର୍ଭେ କେନ୍ଦ୍ର ଆସି ତଥ୍ୟ ପୂରଣ କରି ପାରିବା ବ୍ୟବସ୍ଥା କରାଯାଇଛି । ଏନୁମେରେଟର କେବଳ ସର୍ଭେ କେନ୍ଦ୍ରରେ ହିଁ ରହି ପ୍ରକ୍ରିୟା ସମ୍ପାଦନା କରିବେ । କିନ୍ତୁ ପଛୁଆବର୍ଗରେ ସଚେତନତା ଅଭାବରୁ ସମସ୍ତେ ଏଥିରେ ସାମିଲ ହେବା ସମ୍ଭବ ନୁହେଁ । ଯଦ୍ୱାରା କାର୍ଯ୍ୟ ଅଧୁରା ହେବ ଏବଂ ଏକ କେନ୍ଦ୍ରରେ ସର୍ଭେ କରାଇବା ଏହି ବର୍ଗ ପାଇଁ ଅପମାନ ସୂଚକ । ଯଦି ସରକାର ଏହି ୫୨ ପ୍ରତିଶତ ପଛୁଆବର୍ଗଙ୍କ ହିତ ଚାହାଁନ୍ତି ତେବେ ଘରକୁ ଘର ବୁଲି ସର୍ଭେ କରିବା ସହ ଶିକ୍ଷା, ଚାକିରୀ ଓ ରାଜନୀତି କ୍ଷେତ୍ରରେ ସଂଖ୍ୟା ଅନୁପାତିକ ହକ ସେମାନଙ୍କୁ ପ୍ରଦାନ କରନ୍ତୁ ବୋଲି କୁହାଯାଇଛି । ଦାବି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ରହିଥିବା ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ଆଲୋଚନା କରିଥିଲେ ଏବଂ ସଚେତନତା ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ତୁରନ୍ତ ପରାମର୍ଶ ଦେଇଥିଲେ । ଏହି ଦାବିପତ୍ର ପ୍ରଦାନ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏ ଗୁପ୍ତେଶ୍ଵର ରାଓ, ଶରତ ଗୌଡ଼, ସଂଜୟ କୁମାର ଝା, ଉପଦେଷ୍ଟା ଵାଲା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।