ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିରର ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ । ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଉପଖଣ୍ଡ ସାମ୍ବାଦିକ ସଂଘ । ଏହି ମର୍ମରେ ଆଜି ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ମହୋଦୟଙ୍କ କଙ୍କଡ଼ାହାଡ ଜନଶୁଣାଣି ନେଇ ବାହାରେ ଥିବାରୁ କାମାକ୍ଷାନଗର ସହାୟକ ଜିଲ୍ଲାପାଳ ଶ୍ରୀମତୀ କମଳା ମଲ୍ଲିକଙ୍କୁ , ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଶୁଭମୟ ନନ୍ଦଙ୍କ ନେତୃତ୍ବରେ ସାମ୍ବାଦିକ ପ୍ରତିନିଧିମଣ୍ଡଳି,ବରିଷ୍ଠ ସାମ୍ବାଦିକ ଅଶ୍ୱିନୀ କୁମାର ସାହୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

ମୋଟ୍ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଦାବି ମଧ୍ୟରେ ୪ ଟି ପ୍ରମୁଖ ଦାବି ରଖିଛି କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ।୧- ସାମ୍ବାଦିକ ବିଜୟ ପ୍ରଧାନଙ୍କ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ , ୨- ଫେରାର ଅଭିଯୁକ୍ତଙ୍କ ଗିରଫ, ୩-ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟ୍ବାନ୍ତମୂଳକ ପଦକ୍ଷେପ ଏବଂ ୪-ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ କାର୍ଯ୍ୟକାରୀ କରାଇବା । ଜନୈକ ଠିକାଦାରଙ୍କ ରାସ୍ତା କାମରେ ଦୁର୍ନୀତି ନେଇ ଖବର କରିବା କାରଣରୁ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର କୁଲଫିପାଲି ଠାରେ ସାମ୍ୱାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ କରାଯାଇଥିଲା । ଏହି ସମ୍ପର୍କରେ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ କାମାକ୍ଷାନଗର ସହାୟକ ଜିଲ୍ଲାପାଳ ଶ୍ରୀମତି କମଳା ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।