‘ଗଣତନ୍ତ୍ରର ବିଜୟ ହୋଇଛି’ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଲେ କେଜିର୍‌ଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଏଏପି ସରକାର ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି କହିଛନ୍ତି। କେଜିର୍‌ଓ୍ବାଲ କହିଛନ୍ତି, ଦିଲ୍ଲୀର ଲୋକଙ୍କୁ ନ୍ୟାୟ ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବିକାଶର ଗତି ବର୍ତ୍ତମାନ ବହୁଗୁଣିତ ହେବ।

ଏହି ନିଷ୍ପତ୍ତି ଉପରେ ଏଏପି ନେତା ରାଘବ ଚଡ୍ଡା ଟୁଇଟ କରି କହିଛନ୍ତି, ସତ୍ୟମେବ ଜୟତେ, ଦିଲ୍ଲୀର ବିଜୟ। ମାନ୍ୟବର ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଏକ ଦୃଢ ବାର୍ତ୍ତା ପ୍ରେରଣ କରୁଛି ଯେ, ଦିଲ୍ଲୀ ସରକାରଙ୍କ ସହ କାର୍ଯ୍ୟ କରୁଥିବା ଅଧିକାରୀମାନେ ନିର୍ବାଚିତ ସରକାରଙ୍କ ମାଧ୍ୟମରେ ଦିଲ୍ଲୀର ଲୋକଙ୍କ ପାଇଁ ସେବା କରୁଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚିତ ସରକାର ପ୍ରଶାସନ ଚଳାଇବା ପାଇଁ କ୍ଷମତା ପାଇବା ଉଚିତ୍‌, ନ ଚେତ ଏହା ଫେଡେରାଲ ଢାଞ୍ଚା ପାଇଁ ଏକ ବଡ କ୍ଷତି।କେନ୍ଦ୍ର ସମସ୍ତ ବିଧାନସଭା, ନିଯୁକ୍ତି କ୍ଷମତାକୁ ନିଜ ହାତରେ ନେଇପାରିବ ନାହିଁ। ଯଦି ନିର୍ବାଚିତ ସରକାର ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରିପାରୁନାହାଁନ୍ତି, ତେବେ ଲୋକଙ୍କ ସାମୂହିକ ଦାୟିତ୍ୱ କିପରି ପୂରଣ କରିବେ? ଅଧିକାରୀଙ୍କ ସ୍ଥାନାନ୍ତର ପୋଷ୍ଟ ଉପରେ ଦିଲ୍ଲୀ ସରକାରଙ୍କର ଅଧିକାର ରହିଛି।

Leave a Reply

Your email address will not be published. Required fields are marked *