ଖଣି ଅଞ୍ଚଳରେ କାୟା ମେଲୁଛି ଡେଙ୍ଗୁ, ଡାକ୍ତରଖାନାରେ ବେଡ ନାହିଁ

କେନ୍ଦୁଝର ଜିଲ୍ଲା ଯୋଡା ଖଣି ଉପତ୍ୟକାରେ ଡେଙ୍ଗୁ କାୟା ବିସ୍ତାର କରିଥିଲେ ହେଁ ଏହାକୁ ପ୍ରଶାସନ ଗୁରୁତ୍ଵର ସହିତ ନେଉନାହିଁ । ଡେଙ୍ଗୁ ଜ୍ବରରେ ଜୁରୁଡ଼ି ଅଞ୍ଚଳର ଜଣକର ମୃତ୍ୟୁ ଘଟି ସାରିଛି । ଶତାଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ହସ୍ତଗତ ହୋଇଛି । ଡେଙ୍ଗୁର ସ୍ଥିତି ଏତେ ଭୟାବହ ଯେ,ଯୋଡ଼ାରେ ଏକମାତ୍ର ସାହା ଭରସା ଥିବା ଟାଟାକମ୍ପାନୀ ଡାକ୍ତରଖାନାରେ ସର୍ବାଧିକ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ଯୋଡା ଟାଟାଷ୍ଟିଲ ଡାକ୍ତରଖାନାରେ ୨ମାସ ମଧ୍ୟରେ ୧୬୮ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣ ରୋଗୀଙ୍କ ପ୍ଲେଟଲେଟ ହ୍ରାସ ପାଇବାରୁ ସେମାନଙ୍କୁ ଜିଲ୍ଲା ବାହାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ୩ ମାସ ମଧ୍ୟରେ ଯୋଡା ମହୋତା ହସ୍ପିଟାଲରେ ୫୫ଜଣ ଡେଙ୍ଗୁ ରୋଗୀ ଚିକତ୍ସିତ ହେଉଥିବା ଜଣାପଡିଛି । ଯୋଡା ବ୍ଲକର ବାସୁଦେବପୁର,କାଳିମାଟି,ଗୁଆଲୀରେ ଗୋଟିଏ ସେଖାଏଁ ସରକାରୀ ଡାକ୍ତରଖାନା ରହିଛି । ସେହିପରି ଯୋଡା ସହରରେ କେନ୍ଦ୍ରୀୟ ଡାକ୍ତରଖାନା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବଡବିଲରେ ଏକ ସରକାରୀ ଡାକ୍ତରଖାନା ରହିଛି । ଏସବୁ ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ । ସରକାରୀ ଡାକ୍ତରଖାନାକୁ ଡେଙ୍ଗୁ ରୋଗୀ ଆସିଲେ ସେମାନେ ଉପଯୁକ୍ତ ଚିକିତ୍ସା ସେବା ନପାଇ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାକୁ ଯାଉଥିବା ଅଭିଯୋଗ ହେଉଛି । ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ସଠିକ୍ ତଥ୍ୟ ନଥିବା ବେଳେ ଖଣି ପ୍ରଭାବିତ ଅଞ୍ଚଳ ଜୁରୁଡ଼ି, ବାମେବାରି, ଖଣ୍ଡବନ୍ଧ, ଜଜାଙ୍ଗ,ଗରୁତୁଆଁ ପ୍ରଭୃତି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ସ୍ଥାନୀୟ ଖଣି କମ୍ପାନୀ ମାନେ କେବଳ ଡେଙ୍ଗୁ ଟେଷ୍ଟ କରି ନିଜର ଦାୟୀତ୍ଵ ସମ୍ପନ୍ନ କରି ଦେଉଛନ୍ତି । ହେଲେ ଖଣିର ପାରିପାର୍ଶ୍ବିକ ଅଞ୍ଚଳରେ କୌଣସି ପ୍ରକାର ପରିମଳ ବ୍ୟବସ୍ଥା କରୁ ନାହାନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମଶାରୀ,ବ୍ଲିଚିଂ ପାଉଡର, ମଶା ତେଲ, ମଶା ଧୂଆଁ,କିଛି ଦିଆଯାଉନାହିଁ । ଏ ସମ୍ପର୍କରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷ୍ମୀକାନ୍ତ ସିଂ କହିଛନ୍ତି ଯେ,ଡେଙ୍ଗୁ ନିରାକରଣ ପାଇଁ ବିଭାଗୀୟ ପଦକ୍ଷେପ ନିଆଯାଉଛି । ଏହାସହିତ ଜନ ସଚେତନତା ସୃଷ୍ଟି କରାଯାଉଛି ।

ଯୋଡାରୁ ଭଗବାନ ଗିରିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *