ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ଵର – ୦୬/୦୬/୨୦୨୫
କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ଖରିଫ ଚାଷ ପାଇଁ ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛି l ଶ୍ରୀ ଅନ୍ନ ଅଭିଯାନ କୃଷି ବିଭାଗର ଏକ ଯୁଗାନ୍ତକାରୀ ଯୋଜନା l ଏହା ଆମ ରାଜ୍ୟର ପାରମ୍ପରିକ ଖାଦ୍ୟ ଯଥା ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ ଇତ୍ୟାଦିର ପୁନରୁଦ୍ଧାର କରିବାରେ ବିଶେଷ ରୂପେ ଫଳପ୍ରଦ ହୋଇପାରିଛି l ଏହି ଯୋଜନାର ସୁଫଳ ଯୋଗୁଁ ଗରିବଙ୍କ ଖାଦ୍ୟ ଆଜି ପଞ୍ଚତାରକା ରେସ୍ତେରାଁରେ ପହଞ୍ଚି ପାରିଛି l କେବଳ ସେତିକି ନୁହେଁ ଆଜି ଦୈନନ୍ଦିନ ଜୀବନରେ ବହୁ ନେତା, ଅଭିନେତାଙ୍କ ଖାଦ୍ୟ ତାଲିକାରେ ସାମିଲ ହୋଇପାରିଛି l ଆସନ୍ତା ଖରିଫ ଋତୁରେ ଶ୍ରୀ ଅନ୍ନର ଉତ୍ପାଦନ, ଅମଳ ପରବର୍ତ୍ତୀ ପରିଚାଳନା, ବିକ୍ରୟରେ ବୃଦ୍ଧି ଇତ୍ୟାଦି ବିଷୟରେ ଅଧିକ ଗୁରୁତ୍ଵ ଦେବାକୁ ଡ଼ ପାଢୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ଅଧିକ ଜମିରେ ମାଣ୍ଡିଆ ଜାତୀୟ ଫସଲ ଚାଷ କରି ଓଡ଼ିଶାକୁ ଶ୍ରୀଅନ୍ନର ହବ୍ କରିବାକୁ ପରାମର୍ଶ ଦେଇଛନ୍ତି l ଏହା କେବଳ ଲୋକଙ୍କୁ ରୋଜଗାର ପ୍ରଦାନ କରୁନି ବରଂ ଜନଜାତି ଓ ଆଦିବାସୀ ସମ୍ପ୍ରଦାୟଙ୍କୁ ଆର୍ଥିକରୂପେ ସଶକ୍ତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରୁଛି ଏବଂ ଆମକୁ ଆମର ପାରମ୍ପରିକ ଖାଦ୍ୟ ସଂସ୍କୃତି ସହ ଯୋଡ଼ି ରଖୁଛି ବୋଲି ସଚିବ ଡ଼ ପାଢୀ ଅଭିହିତ କରିଥିଲେ l

ବୈଠକରେ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ, ଡିନ ଗବେଷଣା ,ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର, ଭାରତୀୟ ଖାଦ୍ୟ ନିଗମ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର, ଓଏସଏସଓପିସିଏ (OSSOPCA) , ରାଜ୍ୟ ବିହନ ନିଗମ, ଆପିକଲ୍, ଟିଡିସିସିଓଏଲ (TDCCOL) ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ସୁଶ୍ରୀ ସଙ୍ଗୀତା ମହାରଣା
ଲୋକସମ୍ପର୍କ ଅଧିକାରୀ