ସରକାରୀ ସୁବିଧା ସୁଯୋଗରୁ ବଂଚିତ ଭିନ୍ନକ୍ଷମ ଲକ୍ଷ୍ମୀଧର
ବନ୍ତ,ତା୧୩/୭ :ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଆତ୍ମ ନିର୍ଭରଶୀଳ ହେବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅର୍ନ୍ତଗତ ଚାରିଗାଁ ଗଙ୍ଗାଧର କଟୁଆଳଙ୍କ ପୁଅ ଲକ୍ଷ୍ମୀଧରଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ;ଲକ୍ଷ୍ମୀଧର ୭୭ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ପାରି ନାହିଁ । ଭତ୍ତା ପାଇବା ପାଇଁ ପ୍ରଶାସନିକ ସ୍ତରରେ ବାରମ୍ବାର ଆବେଦନ କରିଥିଲେ ସୁଦ୍ଧା କୌଣସି ସୁଫଳ ତାଙ୍କୁ ମିଳିପାରିନାହିଁ । ଗଙ୍ଗାଧର ଜଣେ ଗରୀବ ଶ୍ରେଣୀୟ ବ୍ୟକ୍ତି ଅଟନ୍ତି । ୨ଝିଅ ବାହାଘର ପାଇଁ ଯାହା ଜମିବାଡ଼ି ଥିଲା ତାକୁ ବିକ୍ରୀ କରି ସାରିଛନ୍ତି । ସେ ବର୍ତ୍ତମାନ ନିଜେ ଅସୁସ୍ଥ ଥିବା ସ୍ଥଳେ ଭିନ୍ନକ୍ଷମ ପୁଅ ଓ ରୋଗାଗ୍ରସ୍ତ ସ୍ତ୍ରୀ କୁ ନେଇ ପରିବାର ଚଳାଇବାକୁ ସମର୍ଥ ହୋଇ ପାରୁନାହାନ୍ତି । ଏପରିକି ନିଜ ଚାଳଘରକୁ ପ୍ରତିବର୍ଷ ଛାଉଣୀ ମଧ୍ୟ କରି ପାରୁ ନାହାନ୍ତି । ତାଙ୍କ ସ୍ତ୍ରୀଙ୍କ ବୟସ ଭତ୍ତା ପାଇବା ପାଇଁ ହୋଇଯାଇଥିଲେ ସୁଦ୍ଧା ସେ ଏହା ପାଇ ପାରି ନାହାନ୍ତି । ଯଦି ଲକ୍ଷ୍ମୀଧର ଓ ତାଙ୍କ ମାଙ୍କୁ ଭତ୍ତା ମିଳି ପାରନ୍ତା ତାହା ହେଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଏହି ପରିବାର ସମର୍ଥ ହୋଇପାରନ୍ତେ । ଆବାସ ଯୋଜନାରେ ଏହି ପରିବାର ସାମିଲ ହୋଇପାରିନଥିବାରୁ ୩ ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା ଚାଳଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଗଙ୍ଗାଧରଙ୍କ ପରିବାର ପ୍ରତି ପ୍ରଶାସନିକ ସ୍ତରରେ ଏହିପରି ବୈମାତୃକ ମନୋଭାବକୁ ସାଧାରଣରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।