ଫୁଲବାଣୀରେ ଜିଲ୍ଲା ସ୍ତରୀୟ ଶୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା ଅନୁଷ୍ଟିତ।

ଫୁଲବାଣୀ:ନିପ୍ର:-୧୮/୦୬ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ,ଫୁଲବାଣୀ ଠାରେ ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଳକରୁ ବ୍ଳକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ସ୍ଵୟଂ ସହାୟିକ ଗୋଷ୍ଠୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ଦହି ପଖାଳ,ମାଛ ପତ୍ର ପୋଡ଼ା,ମଣ୍ଡା ପିଠା, କାଙ୍ଗୁ ବାଜରା ପୋଡ଼ ପିଠା, ମାଣ୍ଡିଆ ସୁପ୍, ଶାଗ ପକୁଡ଼ି, ମାଣ୍ଡିଆ ଟେକ୍ ଆଦି ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ), କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସ୍ନେହଲତା ସାହୁ,ସି.ଏସ୍.ଓ ଡ଼ ଜ୍ଞାନେନ୍ଦ୍ରିୟ ମିଶ୍ର ଓ ଖାଦ୍ୟ ନିରୀକ୍ଷକଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ବିଚାରକ ମଣ୍ଡଳୀ ଖାଦ୍ୟର ସ୍ବାଦ, ପରିଷ୍କାର ପରିଚ୍ଛନ୍ନତା, ପ୍ରତିଯୋଗୀଙ୍କ ବେଶଭୂଷା, ସେମାନଙ୍କ ଉପସ୍ଥାପନାର ଶୈଳୀ ଆଦିକୁ ଆଧାର କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପ୍ରତିଯୋଗୀ ଚୟନ କରିଥିଲେ। ଦୀପ୍ ରେଖା, ସ୍ଵୟଂ ସହାୟିକ ଗୋଷ୍ଠୀ,ଜି. ଉଦୟଗିରି,ମାଁ ତାରିଣୀ, ସ୍ଵୟଂ ସହାୟିକ ଗୋଷ୍ଠୀ, ଟିକାବାଲି, ମାଁ ବିମଳା, ସ୍ଵୟଂ ସହାୟିକ ଗୋଷ୍ଠୀ, ଫିରିଙ୍ଗିଆ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଦଶ ହଜାର,ଆଠ ହଜାର ଓ ଛଅ ହଜାର ଲେଖାଏଁ ପୁରସ୍କାର ରାଶି ସହିତ ମାନପତ୍ର ଓ ସ୍ମରଣିକା ଆଦି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ।

ପ୍ରଥମ ସ୍ଥାନ ହାସଲ କରିଥିବା ସ୍ଵୟଂ ସହାୟିକ ଗୋଷ୍ଠୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅତିଥିମାନେ ଶୁଭେଚ୍ଛା ଦେବା ସହିତ ରାଜ୍ୟସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାର ମାନ ରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକର ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥିମାନେ ମାନପତ୍ର ଓ ସ୍ମରଣିକା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡି.ପି.ସି,ମିଶନ ଶକ୍ତି ଶ୍ରୀ ରାମା ତାଣ୍ଡି ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ମିଶନ ଶକ୍ତି ବିଭାଗର କର୍ମଚାରୀ, ସ୍ଵୟଂ ସହାୟିକ ଗୋଷ୍ଠୀର ସଦସ୍ୟା, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *