ସ୍ବପ୍ନ ହଜିଗଲା ମରୁବାଲିରେ

ସ୍ବପ୍ନ ହଜିଗଲା ମରୁବାଲିରେ
🖋️କବିରତ୍ନ ନୂତନ କୁମାର ବେହେରା
ଯଦି ସ୍ବପ୍ନ କିଛି ନାହିଁ କାହା ଜୀବନରେ
ଆସେ ନାହିଁ କିଛି ଉତ୍ସାହ କି ଆଗ୍ରହ
ଆଶା ଖେଳେନା ଉଦ୍ଦୀପନାର ଶିହରଣରେ
ଇଚ୍ଛାଶକ୍ତି ମଧ୍ୟ ପାଏ ନାହିଁ ପ୍ରେରଣା
ମନ ଉଦ୍ବେଳିତ ହୁଏନା ସବୁଜ ସମ୍ଭାବନାରେ
ସ୍ବପ୍ନରୁ ସୃଷ୍ଟି ହୁଏ ଆଶା ପୁଣି ଆଶାରୁ ଇଚ୍ଛା
ଅନ୍ତର୍ଚେତନାର ଭାବ ରଖେ ତାକୁ ଜାଗ୍ରତ
ଉଦ୍ୟମ ପ୍ରଚେଷ୍ଟା ରଖେ ସେ ଅବ୍ୟାହତ
କର୍ମୀ କର୍ମରେ ପହଞ୍ଚେ ସଫଳତାର ଶୀର୍ଷରେ
ସୁଦକ୍ଷ କୌଶଳୀ ନିପୁଣ ହୁଏ କାର୍ଯ୍ୟରେ
ସ୍ବପ୍ନକୁ ସାକାର କରିବା ହିଁ ଜୀବନର ବ୍ରତ
ଅନୁଭବ ଅଭିଜ୍ଞତାକୁ କରି ମୂଳ ପୁଞ୍ଜି
ଆସୁଥିବା ସମସ୍ୟାକୁ ଭେଟେ ତା’ ସାମ୍ନାରେ
ଜିତିଲେ ସମାଧାନ କରି ହୁଏ ପ୍ରୀତ
ହାରିଲେ ପୁଣି ପୁଣି ବହୁତ ଉଦ୍ୟମ କରେ
ନ ଜିତିବା ଯାଏଁ ପ୍ରଚେଷ୍ଟା ରଖିଥାଏ ନିରନ୍ତର
ଦୁନିଆଁରେ ଏମିତି କେହି ବି ନାହିଁ
ଯିଏ କିଛି ବି ସଫଳତା ପାଇନି ଜୀବନରେ
ଗୋଟେ ଦୁଇଟା ସଫଳତା ପାଇବା
ବିଶେଷ କିଛି ବଡ଼ କଥା ନୁହେଁ ବ୍ୟକ୍ତିତ୍ଵରେ
ସଫଳତାର ଧାରାକୁ ବଜାଇ ରଖିବା ହିଁ ବତ୍ର
ତା’ ହିଁ ପାରଦର୍ଶିତା ସାଧନାର ପଥରେ
ପାଇଲେ କିଛି ସଫଳତା କର୍ମର କ୍ଷେତ୍ରରେ
ଅନେକେ ହୁଅନ୍ତି ଉତ୍ଫୁଲିତ କରନ୍ତି ଆସ୍ଫାଳନ
ଫାଟି ପଡ଼ନ୍ତି ନିଜର ଗର୍ବ ଅହଂକାରରେ
ଅବା ଆଳସ୍ୟ ପଣରେ ହୁଅନ୍ତି ଠକ ପ୍ରତାରକ
ନତୁବା ସମୟ କାଟନ୍ତି ବିଳାସ ବ୍ୟସନରେ
କେହି ବି ନୁହଁନ୍ତି ସୀମିତ ପଥର ପଥିକ
ଚାହିଁଲେ ସଫଳତା ପାଇବ ଜୀବନଯାତ୍ରାରେ
ବଢ଼ାଇଲେ କେଇ ପାହୁଣ୍ଡ ପହଞ୍ଚିଯିବ ଲକ୍ଷ୍ୟରେ
ପଥ ବହୁଦୂର ପୁଣି ଅଙ୍କାବଙ୍କା ବହୁ ଜଟିଳ
ଦୁର୍ଗମ କଣ୍ଟକିତ ଦନ୍ତୁରିତ ଶିଳାଖଣ୍ଡରେ
ପ୍ରତି ପାଦ ବିପଦପୂର୍ଣ୍ଣ ସ୍ଵାପଦଶଙ୍କୁଳ ଯିବାରେ
ମନେ ସଞ୍ଚି ଆଶା ଧରି ଅସୀମ ଧୈର୍ଯ୍ୟ ସାହସ
ଚଳାଏ ଅଭିଯାନ ଦୁଃସାହସିକ ଭାବରେ
ପ୍ରତିକୂଳ ପରିସ୍ଥିତିକୁ କରି ନିଏ ତାର ଆତ୍ମବଳ
ସଫଳ ହୁଏ ସିଏ ଏକାଗ୍ରତାର ସଂକଳ୍ପରେ
ଟିକିଏ କଷ୍ଟ ଯନ୍ତ୍ରଣା ପାଇ ଦିଏ ଯିଏ ପଛଘୁଞ୍ଚା
ନୈରାଶ୍ୟ ଭାବ ଆଣି ତା ବିଚଳିତ ମନରେ
ହତୋତ୍ସାହିତ ହୁଏ ଭାଙ୍ଗିପଡ଼େ ସେ ନିଜଠାରେ
ହରାଏ ଆତ୍ମବିଶ୍ଵାସ ରହେ ଦୁଃଚିନ୍ତାରେ
ଦୋଷ ଦିଏ ଭାଗ୍ୟକୁ ବିଧାତାଙ୍କୁ ଅଭିମାନରେ
ନିଜ ଦୁର୍ବଳତାକୁ ନ ଦେଖାଇ କା’ ଆଗରେ
କହେ ସ୍ବପ୍ନ ହଜିଗଲା ମରୁବାଲିରେ…।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨