ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର

ଟିକାବାଲି : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ପଞ୍ଚାୟତରେ ଥିବା ଗାର୍ଡିଙ୍ଗିଆ ହାଇସ୍କୁଲର ପ୍ରଧାନଶିକ୍ଷକ ହୃଷିକେଶ ନାୟକ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ବିଦ୍ୟାଳୟରେ ଆଦିବାସୀ ଓ ହରିଜନ ଶ୍ରେଣୀର ମୋଟ ୬୭ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନଶିକ୍ଷକ, ପିଇଟି ଶିକ୍ଷକ, ସହ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମିଶାଇ ୪ ଜଣ ନିଯୁକ୍ତି ପାଇଛନ୍ତି । ସ୍କୁଲରେ ମଦ ପିଇ ଛାତ୍ରଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ସଂପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରେ, ସେ ତାକୁ ସ୍ଵୀକାର କରିଛନ୍ତି । ସ୍କୁଲର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ଶାସମଲଙ୍କ ବିରୋଧରେ ପ୍ରଧାନ ଶିକ୍ଷକଙ୍କ ଧର୍ମ ପତ୍ନୀ କଳ୍ପନା ନାୟକ ସାଂଘାତିକ ଅଭିଯୋଗ କରିଛନ୍ତି ।
ଶ୍ରୀ ଶାସମଲ ପ୍ରଧାନଶିକ୍ଷକଙ୍କୁ ମଦ ପିଇବା ଲାଗି ବାଧ୍ୟ କରିବା ସହ ବାରମ୍ବାର ଫୋନ କରି ମାନସିକ ନିର୍ଯାତନା ଦେଉଥିଂବା ଶ୍ରୀମତୀ ନାୟକ ଅଭିଯୋଗ କରିଛନ୍ତି ।
ତାଙ୍କ କଥା ନ ମାନିଲେ ଚାକିରିରୁ ବହିଷ୍କାର କରାଯିବ ବୋଲି ଶ୍ରୀ ଶାସମଲ ତାଙ୍କୁ ଧମକ ଦିଅନ୍ତି । ଶିକ୍ଷକ ପ୍ରମୋଦ ଶାସମଲ ନିଜେ ପ୍ରଧାନ ଶିକ୍ଷକଙ୍କୁ ମଦ ପିଇବାକୁ ଦେଇ ବିଦ୍ୟାଳୟ ପାଣ୍ଠିରୁ ଟଙ୍କା ଉଠେଇ ବେଆଇନ ଭାବେ ଖର୍ଚ୍ଚ କରିବାକୁ ବାଧ୍ୟ କରନ୍ତି ବୋଲି ଶ୍ରୀମତୀ କଳ୍ପନାନାୟକ ଗଣମାଧ୍ୟମ ଆଗରେ କହିଛନ୍ତି ।
ଶ୍ରୀ ଶାସମଲ ହଷ୍ଟେଲ୍ରେ ରହୁଥିଉବା ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି । ଘଟଣା ସଂପର୍କରେ ଜାଣିବା ପରେ ନିଜ ପିଲାଙ୍କୁ ଅନ୍ୟ ସ୍କୁଲରେ ନାମ ଲେଖାଇବା ସହ ଶିକ୍ଷା ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥୁଲୁ ବୋଲି କହିଛନ୍ତି ଗାର୍ଡିଙ୍ଗିଆ ସରପଞ୍ଚ ଜିତେନ୍ଦ୍ର ମଲିକ, ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦିଗାଳ, ପିଙ୍କୁ ପ୍ରଧାନ, ଅତୁଲୁ କୁମାର ଦିଗାଳ, ଅନଙ୍ଗ ପ୍ରଧାନ, ଅନନ୍ତ ନାୟକ, ପ୍ରକାଶ ଚନ୍ଦ୍ର ପ୍ରଧାନ । ଜିଲ୍ଲା ପ୍ରଶାସନ ଏ ନେଇ କୌଣସି ପଦକ୍ଷପ ନ ନେଲେ ଆଗାମି ଦିନରେ ଗ୍ରାମବାସୀ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଟିକାବାଲିରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ
