ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରାଯାଉଛି:ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ସ୍ୱାଇଁ

ସଂପ୍ରତି ଓଡ଼ିଶା ଅଣ୍ଡା ଉତ୍ପାଦନରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଓଡ଼ିଶା ପୋଲଟି୍ର ନୀତି-୨୦୧୫ ଅନୁଯାୟୀ ଅଣ୍ଡା ଉତ୍ପାଦନ, କୁକୁଡ଼ା ଫାର୍ମରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରିକ ପ୍ରୟୋଗ ଏବଂ ଭିତ୍ତିଭୂମିରେ ଉନ୍ନତି ନିମନ୍ତେ ଉଦ୍ୟୋଗୀମାନଙ୍କୁ କୁକୁଡ଼ା ଫାର୍ମ ପାଇଁ ରାଜ୍ୟର ଯେକୌଣସି ଅଞ୍ଚଳରେ ଜମି କ୍ରୟ ଉପରେ ୧୦୦ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଚାଷ ଜମିକୁ କୁକୁଡ଼ା ଚାଷ ପାଇଁ ହୋମଷ୍ଟେଡ୍‌ ଜମିରେ ପରିଣତ କରିବା ଓ ଲାଭଜନକ ସବ୍‌ସିଡି ଆଦି ପ୍ରଦାନ ସହିତ ଅନେକ ପ୍ରୋତ୍ସାହନ କାର୍ଯ୍ୟ ସରକାରଙ୍କ ତରଫରୁ କରାଯାଉଛି । ୨୦୧୮-୧୯ ମସିହାରେ ବାର୍ଷିକ ୫୦ଟି ଅଣ୍ଡାରୁ ମୁଣ୍ଡପିଛା ଉପଲବ୍ଧତା ବୃଦ୍ଧି ପାଇ ୨୦୨୨-୨୩ ରେ ଏହା ୬୭ ରେ ପହଞ୍ଚିଛି । ଅଣ୍ଡା ଉତ୍ପାଦନରେ ଆତ୍ମର୍ନିଭରଶୀଳ ହେବା ପାଇଁ ୨୦୨୪-୨୫ ସୁଦ୍ଧା ଦୈନିକ ୧୨୦ ଲକ୍ଷ ଅଣ୍ଡା ଉତ୍ପାଦନ କରିବାକୁ ରାଜ୍ୟ ଲକ୍ଷ୍ୟ ରଖିଛି । ପ୍ରସ୍ତାବିତ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବା, କର୍ମଶାଳା ଆୟୋଜନ କରିବାର ଲକ୍ଷ୍ୟ । ଏକଦା ନିଅଣ୍ଟିଆ ରାଜ୍ୟ ଓଡ଼ିଶା ସଂପ୍ରତି ଚାଉଳ, ମାଛ ଆଦି ବିଭିନ୍ନ ଦ୍ରବ୍ୟ ରପ୍ତାନୀ କରୁଥିବାବେଳେ ଉପଯୁକ୍ତ ରୋଡ ମ୍ୟାପ ଦ୍ୱାରା ଆଗାମୀ ଦିନରେ ରାଜ୍ୟରୁ ଅଣ୍ଡା ରପ୍ତାନୀ କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଭୁବନେଶ୍ୱରଠାରେ ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ କରାଇବା ପାଇଁ ଆୟୋଜିତ କର୍ମଶାଳାକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, ରାଜ୍ୟରେ ଉଦ୍ୟୋଗୀ ସୃଷ୍ଟି କରିବାରେ ସର୍ବାଧିକ ଅଭିବୃଦ୍ଧି ହାର ସହିତ ଅଣ୍ଡାଦିଆ କୁକୁଡ଼ାପାଳନ ଏକ ଅଗ୍ରଣୀ କ୍ଷେତ୍ର ପାଲଟିଛି । ରାଜ୍ୟରେ ୨୦୧୯-୨୦ ମସିହାରେ ଦୈନିକ ଅଣ୍ଡା ଉତ୍ପାଦନ ପ୍ରାୟ ୬୫ ଲକ୍ଷ ଥିଲାବେଳେ ବର୍ତ୍ତମାନ ଏହା ପ୍ରାୟ ୧ କୋଟିରୁ ଅଧିକ ହୋଇଛି । ଗତ ୪ ବର୍ଷରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ୫୮ ପ୍ରତିଶତ ବୃଦ୍ଧି ହୋଇଛି । ରାଜ୍ୟ ସରକାରଙ୍କ ପ୍ରଶାସନ ମୂଳମନ୍ତ୍ର ୫‘ଟି’ କାର୍ଯକ୍ରମ ଅଧୀନରେ ଅଣ୍ଡା ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ପ୍ରଦାନ କରି ଏକ ତିନି ଥାକିଆ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ବାଣିଜ୍ୟିକ ଅଣ୍ଡାଦିଆ କୁକୁଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏପର୍ଯନ୍ତ ରାଜ୍ୟରେ ୧୫୭ ଗୋଟି ବାଣିଜ୍ୟିକ ଫାର୍ମ ପ୍ରତିଷ୍ଠା ହୋଇଛି ଓ ଏଥିରୁ ଦୈନିକ ୯୦ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି । ଅର୍ଦ୍ଧ-ବାଣିଜ୍ୟିକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମଧ୍ୟମ ଧରଣର ୧୦୦୦ କ୍ଷମତା ବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ଫାର୍ମ ଲୋକଙ୍କ ଦ୍ୱାରା ବହୁଳ ଭାବେ ଆଦୃତ ହୋଇପାରିଛି । ୭୦୦ ଏପରି ୟୁନିଟରୁ ଦୈନିକ ପ୍ରାୟ ସାଢେ ତିନି ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି ଏବଂ ଘର ଅଗଣାରେ କୁକୁଡାପାଳନରୁ ପ୍ରାୟ ୯ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ବାଣିଜ୍ୟିକ/ ଅର୍ଦ୍ଧ-
ବାଣିଜ୍ୟିକ ଓ ଘର ଅଗଣା କୁକୁଡ଼ା ପାଳନ ମିଶି ରାଜ୍ୟର ଏଗ୍‌ ବାସ୍କେଟ ରୂପେ ଉଭା ହୋଇଛନ୍ତି । ରାଜ୍ୟ ସରକାରଙ୍କ ୫ ‘ଟି’ ଲକ୍ଷ୍ୟକୁ ସାକାର କରିବା ଦିଗରେ ଆଗକୁ ବଢୁଛୁ । ୨୦୨୪ ମସିହା ସୁଦ୍ଧା ରାଜ୍ୟରେ ଅଣ୍ଡା ଉତ୍ପାଦନକୁ ଦୈନିକ ୧ କୋଟି ୨୦ ଲକ୍ଷରେ ପହଞ୍ଚାଇ ଉଚ୍ଚତମ ସୋପାନକୁ ନେଇଯିବାର ଅଦମ୍ୟ ଉତ୍ସାହ ଆମ ଉଦ୍ୟୋଗୀମାନଙ୍କ ମଧ୍ୟରେ ଭରପୂର ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ ଯେ, ରାଜ୍ୟରେ ଅଣ୍ଡା ଉତ୍ପାଦନ ପାଇଁ ଲେୟର ଫାର୍ମର ମାନଙ୍କ ଗୁରୁତ୍ୱ ବହୁତ କିଛି ମାନେ ରଖେ । ସରକାରଙ୍କ ପ୍ରୋତ୍ସାହନ ଓ ଲେୟର ଫାର୍ମର ମାନଙ୍କ ପରିଶ୍ରମ ଫଳରେ ଓଡ଼ିଶା ଆଜି ଅଣ୍ଡା ଉତ୍ପାଦନରେ ଆଗକୁ ଆଗକୁ ବଢି ଚାଲିଛି ଓ ୨୦୨୪-୨୦୨୫ ମସିହା ବେଳକୁ ରାଜ୍ୟ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ ହେବ ।
କର୍ମଶାଳାରେ ଯୋଗଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ବଡ ଧରଣର କୁକୁଡ଼ା ଫାର୍ମ ପ୍ରତିଷ୍ଠା କରି ରାଜ୍ୟର ଉଦ୍ୟୋଗୀମାନେ ବେଶ ଲାଭବାନ ହୋଇପାରୁଛନ୍ତି । ପୁଞ୍ଜି ବିନିଯୋଗ ଉପରେ ୪୦ ରୁ ୫୦ ପ୍ରତିଶତ ସବସିଡ଼ି ପ୍ରଦାନ କରାଯାଉଛି । ସଂପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତାକୁ ୫୦ ଲକ୍ଷରୁ ସର୍ବାଧିକ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ
ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ, ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ଏବେ ରାଜ୍ୟର ଅଧିକରୁ ଅଧିକ ଯୁବ ଉଦ୍ୟୋଗୀ ଆଗେଇ ଆସୁଛନ୍ତି । ସରକାରଙ୍କ ତରଫରୁ ସେମିନାର ଓ କର୍ମଶାଳା ଆୟୋଜନ କରାଯାଉଛି । ରାଜ୍ୟସ୍ତରୀୟ ବ୍ୟାଙ୍କର୍‌ସ କମିଟି ମିଟିଂରେ ଉଦ୍ୟୋଗୀମାନଙ୍କ ଆବେଦନ ବାବଦରେ ଆଲୋଚନା କରାଯାଇ ଋଣ ପ୍ରଦାନ ପ୍ରକ୍ରିୟାକୁ ସହଜ କରାଯାଉଛି । ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରୁଥିବା ଜଣେ ସାଧାରଣ ଲୋକ କିପରି ସହାୟତା ପାଇବ ସେ ବାବଦରେ ଲୋକଙ୍କୁ ସଚେତନ କରାଯାଉଛି ।
କର୍ମଶାଳାରେ ଲେୟର ଫାର୍ମର, ବାହାର ରାଜ୍ୟର ଉଦ୍ୟୋଗୀ, ଫିଡ କମ୍ପାନୀ ପ୍ରତିନିଧି, ପୁଲେଟ ସପ୍ଲାୟର, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଯୋଗଦେଇ ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ କରାଇବା ଦିଗରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ସଚ୍ଚିନ୍ଦ୍ରନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *