ରାଜକୀୟ ସମ୍ମାନ ସହିତ ଦିଲ୍ଲୀପ କୁମାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ : ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ୯୮ ବର୍ଷ ବୟସରେ ବୁଧବାର ସକାଳ ୭.୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ସାରା ଦୁନିଆରେ ଶୋକର ଲହରି ଖେଳିଯାଇଛି । ବଲିଉଡର ଅନେକ କଳାକାର ଏବଂ ରାଜନୈତିକ ବ୍ୟକ୍ତି ଦିଲୀପଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ।

ରାଜକୀୟ ସମ୍ମାନ ସହିତ ଦିଲ୍ଲୀପ କୁମାରଙ୍କ ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଗୁଡାଇ ଆମ୍ବୁଲାନ୍ସ ଯୋଗେ ସାନ୍ତାକ୍ରୁଜ କବରସ୍ଥାନକୁ ନିଆଯାଇଥିଲା। ଆମ୍ବୁଲାନ୍ସକୁ ନେବା ପୂର୍ବରୁ ଓ କବରସ୍ଥାନରେ ତାଙ୍କୁ ମାଟି ଦେବା ପୂର୍ବରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ତେବେ ଦିଲ୍ଲୀପଙ୍କୁ କବରସ୍ଥାନ ନେବା ପୂର୍ବରୁ ତାଙ୍କୁ ମସଜିଦ ବି ନିଆଯାଇଥିଲା। ଅଭିନେତାଙ୍କର ଶେଷ ଝଲକ ଟିକେ ପାଇବା ପାଇଁ ତାଙ୍କ ଚାରିପାଖରେ ଗଣମାଧ୍ୟମ ଏବଂ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ଦିଲୀପଙ୍କ ସ୍ତ୍ରୀ ସାଏରା ବାନୋ ଲୁହ ଭରା ଆଖିରେ ସ୍ବାମୀଙ୍କୁ ବିଦାୟ ଦେଇଥିବା ବେଳେ କବରସ୍ଥାନରେ ବିଗ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ବି ଅଭିନେତାଙ୍କୁ ଶେଷ ବିଦାୟ ଦେବାକୁ ପହଞ୍ଚିଥିଲେ। ଦିଲୀପଙ୍କୁ ଶେଷ ବିଦାୟ ଦେଉଥିବା ସମୟରେ ଘଟଣାସ୍ଥଳରେ ଥିବା ପରିବାର ସଦସ୍ୟଙ୍କ ସହିତ ଅନ୍ୟମାନଙ୍କ ଆଖି ବି ଲୁହରେ ଭରି ଯାଇଥିଲା।

Leave a Reply

Your email address will not be published. Required fields are marked *