ବାପା

ବାପା
🖊କବିରତ୍ନ ନୂତନ କୁମାର ବେହେରା
‘ବାପା’ ଶବ୍ଦର ଅର୍ଥ ବହୁ ବ୍ୟାପକ ସୀମାହୀନ
ଗଢି଼ ଦିଅନ୍ତି ଯିଏ ସନ୍ତାନର ସୁନ୍ଦର ଜୀବନ
ସେ ସୃଷ୍ଟିକର୍ତ୍ତାଙ୍କ ରୂପରେ ଥା’ନ୍ତି ପ୍ରତୀୟମାନ
ସନ୍ତାନର ହୃଦୟ ସିଂହାସନେ ତାଙ୍କର ସ୍ଥାନ
ପିତା ସ୍ବର୍ଗ ଧର୍ମ ତପଃ ସାଥୀରେ ତୁଳନୀୟ
ଉଦାର ନିର୍ବିକାର ପବିତ୍ର ତାଙ୍କ ବିଶାଳ ହୃଦୟ
ଆଶୀର୍ବାଦରୁ ମିଳେ ବର ହେବାକୁ ଅଜୟ
ତାଙ୍କ ଚରଣ ପଙ୍କଜେ ରଖିଥିଲେ ଲୟ
ବାପା ଶବ୍ଦର ତତ୍ତ୍ଵ ‘ବା’ରୁ ବାୟୁ ‘ପା’ରୁ ପାଣି
ବଞ୍ଚାଇ ରଖିଥାଏ ଯା’ ସନ୍ତାନକୁ କରି ଅଗ୍ରଣୀ
ବାପାଙ୍କ ନିକଟେ ପୁତ୍ରକନ୍ୟା ସର୍ବଦା ଋଣୀ
ପ୍ରେରଣା ଦେଇ କରାନ୍ତି ଜଗତେ ଜ୍ଞାନୀ ଗୁଣୀ
ହୃଦୟ ତାଙ୍କର ଶ୍ରଦ୍ଧା ସ୍ନେହର ରତ୍ନ ଖଣି
ମୁଖରୁ ନିସୃତ ହେଉଥାଏ ଅମୃତ ବାଣୀ
ତ୍ଯାଗ ତିତିକ୍ଷା ଗୁଣେ ସେ ଗିରିବର ସମ
ଜୀବନ ସାଥେ ବାଜି ଲଗାଇ କରୁଥାନ୍ତି ଶ୍ରମ
ଗଢି଼ବାକୁ ସନ୍ତାନକୁ କରି ସର୍ବୋତ୍ତମ
ଦେଖାଇ ଥା’ନ୍ତି ତାଙ୍କର ଅନନ୍ୟ ପରାକ୍ରମ
ମନର ସ୍ବପ୍ନ ତାଙ୍କ ସାଗରର ଲହରୀମାଳ
ହୃଦୟର ଭାବ ରହେ ଆକାଶ ଭଳି ବିଶାଳ
ଅଶେଷ ରୁହେ ବାପାଙ୍କ ଚରିତ୍ର ଚିତ୍ରଣ
ଏକ ଆତ୍ମାର ସ୍ଵରୂପରେ ଥା’ନ୍ତି ବିଦ୍ୟମାନ
ଶକ୍ତି ସାମ୍ୟର୍ଥତା ଦେବାରେ ସେ ମହାଉତ୍ସ
ଗୁରୁ ରୂପରେ ଜ୍ଞାନଦାତା ସନ୍ତାନ ତାଙ୍କର ବତ୍ସ
ବାପାଙ୍କର ମହନୀୟ ଗୁଣେ ବାପାଟିଏ
ସୃଷ୍ଟିରେ ସଂସାରର ସାର୍ଥକତା ପୂରଣ କରିଦିଏ
ସେ ଗୁଣରୁ ହୁଏ ଯେବେ କିଛି ବ୍ୟତିକ୍ରମ
ଭାଗ୍ୟର ବିଡ଼ମ୍ଵନାରେ ହୁଏ ତା’ ମତିଭ୍ରମ
ଏ ଯୁଗରେ ପିତା ପୁତ୍ର ମଧ୍ୟରେ ହୁଏ ଅନ୍ତରାୟ
ସମାଜେ ଦେଖି ଜ୍ଞାନୀ ସୁଜନ ହୁଅନ୍ତି ବିସ୍ମୟ
ଏକ ରକ୍ତଗତ ସଂପର୍କ ଥିଲେ ବି ଦୁଇ କାୟ
ପରସ୍ପରର ମଧ୍ୟେ ରହେ ନାହିଁ ମଧୁର ସମନ୍ଵୟ
ଅଜ୍ଞାନତା ଆଉ ସ୍ଵାର୍ଥପରତାର ପ୍ରହେଳିକା
ବାପା ପୁଅକୁ କରି ଦିଏ ପୃଥକରେ ଏକା ଏକା
ନ୍ୟାୟ ନୀତି ଆଦର୍ଶର ମହତ୍ଵ ହୋଇ ଚାଲେ କ୍ଷୁର୍ଣ୍ଣ
ବିଷମୟେ ସଂସାର ପାଲଟେ ରୁଗ୍ଣ ଜରାଜୀର୍ଣ୍ଣ
ସେ ଦିଗରେ ସମୂହ ସନ୍ତାନ ସନ୍ତତି ଦେଲେ ଧ୍ୟାନ
ଅଚିରେ ହେବ ଜଗତର ସୁକଲ୍ୟାଣ ସାଧନ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨