ସରକାରୀ ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଗୋଦାମରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମହିନ୍ଦ୍ରା ସୋ’ରୁମ ପଛ ସେକ୍ଟର-ଏ ରେ ଥିବା ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ ଗୋଦାମରେ ରବିବାର ରାତି ପ୍ରାୟ ୧୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା।
ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତରେ ଆଣିବାପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବିଭାଗର ଛଅଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଔଷଧ ଗୋଦାମରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଭୟରେ ଉକ୍ତ ଅଞ୍ଚଳରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା। କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି।
କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା ବୋଲି ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଭିଡ୍ ଔଷଧ, କିଟ୍ ଓ ଅକ୍ସିଜେନ୍ ସିଲିଣ୍ଡର୍ ଏହି ଗୋଦାମରେ ଥିଲା। କୋଭିଡ ସମୟର ବଳକା ମେସିନ, ମାସ୍କ ଓ ସାନିଟାଇଜର ଏଠାରେ ଥିଲା। ଯାହା ନିଆଁରେ ପୋଡି ପାଉଁଶ ହୋଇଯାଇଛି।