ଆଜି ଠାରୁ ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

ନୂଆଦିଲ୍ଲୀ : ଆଜି ଠାରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ । ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଏପ୍ରିଲ ୧୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୨୯ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ୨୦ଟି ସ୍ଥାନ ପରିଦର୍ଶନ କରିବେ।

ସୂଚନା ଅନୁସାରେ, କ୍ଷେତ୍ର ପରିଦର୍ଶନ ଟିମ୍‌ରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଦୁଇ ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌ଙ୍କ ସମେତ ପକ୍ଷଭୁକ୍ତ ରାଜ୍ୟ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡର ଟିମ୍‌ ସାମିଲ ହେବେ। ରାଜ୍ୟମାନଙ୍କ ଟିମ୍‌ରେ ଆଇନଜୀବୀ, ବୈଷୟିକ ସଦସ୍ୟ, ଅଧିକାରୀ ଓ କନସଲ୍‌ଟାଣ୍ଟ ରହିବେ। ଓଡ଼ିଶା ଟିମ୍‌ରେ ୪ ଜଣ ଆଇନଜୀବୀଙ୍କ ସମେତ ମୋଟ ୨୦ ସଦସ୍ୟ ରହିବେ ବୋଲି ଜଣାପଡ଼ିଛି। ଏକତରଫା ଓ ବେଆଇନ ଭାବେ ମହାନଦୀ ଜଳକୁ ଛତିଶଗଡ଼ ଅଟକାଇ ରଖୁଥିବା ଅଭିଯୋଗର ବାସ୍ତବ ସ୍ଥିତି ଉପରେ ଟ୍ରିବ୍ୟୁନାଲ ଗସ୍ତ କାଳରେ ଅବଗତ ‌ହେବେ ବୋଲି ଓଡ଼ିଶା ଟିମ୍‌ ଆଶାରଖିଛି।

ଯେହେତୁ ଟ୍ରିବ୍ୟୁନାଲ ଅଣମୌସୁମୀ ଋତୁରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଓଡ଼ିଶାକୁ ଜଳପ୍ରବାହ କମିବାର ସୂଚନା ହାସଲ କରିବେ ବୋଲି ଅନୁମାନ କରାଯାଉଛି। ହୀରାକୁଦ ଜଳସ୍ତର ଅନ୍ୟବର୍ଷ ଠାରୁ ଚଳିତ ବର୍ଷ ୪ ଫୁଟ କମିଗଲାଣି। ଜଳସେଚନ, ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପଭିତ୍ତିକ ଜଳ ଯୋଗାଣ ଓ ପାନୀୟ ଜଳ ଯୋଗାଣ ଘୋର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟିହୋଇଛି। ଟ୍ରିବ୍ୟୁନାଲ ଏହି ସ୍ଥିତିକୁ ବିଚାରକୁ ନେବା ଆଶା କରାଯାଉଛି। ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ଜରିଆରେ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ପରାମର୍ଶ ଦେବା ପରେ ଉଭୟ ପକ୍ଷ ଏକାଧିକ ଥର ଆଲୋଚନା ପାଇଁ ବସିଛନ୍ତି। କିନ୍ତୁ ସମାଧାନର ସୂତ୍ର ବାହାରି ପାରିନାହିଁ। ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ ଉପରୋକ୍ତ କାରଣ ଯୋଗୁଁ ବିଶେଷ ଗୁରୁତ୍ବ ବହନ କରୁଛି। ଟ୍ରିବ୍ୟୁନାଲ ଛତିଶଗଡ଼କୁ ପ୍ରଥମ ଦୁଇ ପର୍ଯ୍ୟାୟ ‌କ୍ଷେତ୍ର ପରିଦର୍ଶନ ପରେ ଓଡ଼ିଶାକୁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସ୍ଥିର କରିବେ।

Leave a Reply

Your email address will not be published. Required fields are marked *