ମୋଦୀଙ୍କ ସୁରକ୍ଷା ପାଇଁ ନବନିର୍ମାଣ ଚାଷୀ ନେତାଙ୍କୁ ଥାନାରେ ଅଟକ*

ରଘୁନାଥପୁର …… ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢ଼ଙ୍ଗ ଗ୍ରାମରୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଚାଷୀ ନେତା ଦେବିପ୍ରସାଦ ମହାରଣାଙ୍କୁ, ମୋଦୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ରଘୁନାଥପୁର ପୋଲିସ ଗିରଫ କରି ଦିନ ସାରା ଥାନାରେ ଅଟକ ରଖିଥିଲେ। ବିଜେପି ବିଜୟ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ଗୋଟାଏ ପଟେ ମହିଳା ମାନଙ୍କୁ ସରକାରୀ ପଇସା ଖର୍ଚ୍ଚ କରି ବସ୍ ମାଧ୍ୟମରେ ଭୁବନେଶ୍ୱର ନେଉଥିବା ବେଳେ ଆରପଟେ ଚାଷୀ ସ୍ୱାର୍ଥ ପାଇଁ ଲଢେଇ କରୁଥିବା ନିରୀହ ଚାଷୀ ନେତାଙ୍କୁ ପୋଲିସ୍ କାହିଁକି ଥାନାରେ ଅଟକ ରଖୁଛି ? ସତରେ କଣ ବିଜେପି ବିଜୟ ଦିବସ ପାଳିବାର ଯୋଗ୍ୟତା ହାସଲ କରିଛି ? ଯଦି ଆମେ ବିଜେପିର ନିର୍ବାଚନୀ ଇସ୍ତାହାର ଦେଖିବା ତେବେ ଜାଣି ପାରିବା ଯେ ବିଜେପି ସରକାର କେବଳ ବାହାପିଆ କଥା କହିବାରେ ବିଜୟ ଲାଭ କରିଛି। ପ୍ରମାଣ ସ୍ବରୂପ, ମଣ୍ଡିରେ ଚାଷୀଙ୍କ ଧାନରୁ କଟନି ଛଟନି ହେବ ନାହିଁ ବୋଲି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବହୁତ୍ ବଡ଼ ବଡ଼ ଭାଷଣ ଦେଲେ । କିନ୍ତୁ ବାସ୍ତବରେ ଚାଷୀଙ୍କ ଧାନରୁ କ୍ଵିଣ୍ଟାଲ ପିଚ୍ଛା ୧୦/୧୫ କେଜି କାଟିନେଲେ ମିଲର ମାନେ। ପ୍ରମାଣ ଦେଖାଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ବି ଶୁଣିଲା ନାହିଁ। ୬୦ ବର୍ଷରୁ ଉର୍ଦ୍ଧ୍ବ ବୁଢ଼ାବୁଢ଼ୀ ମାନଙ୍କୁ ୩୦୦୦ ଟଙ୍କା ଭତ୍ତା ଦେଲା ନାହିଁ। ଲୋକ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ମୋହନ ସରକାର ନିଶା ବେପାର ବନ୍ଦ୍ କଲା ନାହିଁ। ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶାର ଲୋକ ମାନଙ୍କୁ ମାଗଣା ବିଜୁଳି ଯୋଗାଇ ଦେବା ପରିବର୍ତ୍ତେ ଟାଟା କମ୍ପାନୀ ହାତରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଟେକି ଦେଇ ଉପଭୋକ୍ତା ମାନଙ୍କ ଠାରୁ ଅଧିକ ବିଜୁଳି ଟିକସ ଆଦାୟ କଲା। ବିଜେଡିର ଶୋଷଣ ଶାସନ ଢାଞ୍ଚା ଯାହା ଥିଲା ବିଜେପି ତହିଁରେ କୌଣସି ପରିବର୍ତ୍ତନ ଆଣି ପାରିଲା ନାହିଁ। ପ୍ରଶାସନ ପାଖରେ ମୋହନ ସରକାର ମୁଣ୍ଡ ନୂଆଁଇବା ଅତ୍ୟନ୍ତ ଲଜ୍ଜା ଜନକ କଥା ହୋଇଥିବା ବେଳେ ଚାଷୀଙ୍କ ସ୍ୱାର୍ଥ ପାଇଁ ଅହିଂସାତ୍ମକ ଲଢେଇ ଲଢ଼ୁଥିବା ନବନିର୍ମାଣ କୃଷକ ସଂଗଠନର କୃଷକ ନେତା ମାନଙ୍କୁ ପୋଲିସ ଲଗାଇ ଗିରଫ କରିବା ମୋହନ ସରକାରଙ୍କ ଇତର ମାନସିକତାକୁ ପ୍ରମାଣିତ କରୁଛି ବୋଲି ଚାଷୀ ନେତା ଶ୍ରୀ ମହାରଣା ପ୍ରକାଶ କରିଛନ୍ତି। ବିଜେଡି ସରକାରର ଶୋଷଣ ଶାସନ ବିରୋଧରେ ଓଡ଼ିଶାବାସି ବିଜେପିକୁ ରାଜ ଗାଦିରେ ବସାଇଥିଲେ ମାତ୍ର ପଳେଇ ପଶିଲି ମାଉସୀ ଘରେ ନା ମାଉସୀ ମାରିଲା ଦି ପହରେ ଭଳି ମୋହନ ସରକାର ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଜେପି ବିଜୟ ଦିବସ ପାଳନ କରୁଛି। ବାସ୍ତବରେ ବିଜେପି ବିଜୟ ଦିବସ ନୁହେଁ ବିଜେପି ଅପାରଗ ଦିବସ ପାଳନ କରିବା ଉଚିତ୍।