ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୪ ବର୍ଷ ବୟସରେ ଆଜି ସନ୍ଧ୍ୟା ୭ଟା ୩୧ ମିନିଟରେ ପରଲୋକ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ବୋଲି ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି ।
ଆଜି ସନ୍ଧ୍ୟାରେ ସେ ହଠାତ୍ ଗୁରୁତର ହୋଇ ପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ ମସିହାରୁ ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ କ୍ରମାଗତ ଭାବେ ୭ ଥର ବିଧାୟକ ହୋଇଥିଲେ । ୧୯୯୦ରୁ ୨୦୦୯ ଯାଏ ମୋହନା ଆସନରୁ ବିଧାୟକ ହୋଇଥିବା ବେଳେ ୨୦୦୯ରୁ ଦିଗପହଣ୍ଡିରୁ ବିଧାୟକ ହୋଇ ଆସିଥିଲେ । ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇଥିଲେ । ସେହିପରି ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ସେ ବିଧାନସଭାରେ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ତଥା ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଛି ।