‘ମାଉଣ୍ଟ ଅନ୍ନପୂର୍ଣ୍ଣା’ରୁ ନିଖୋଜ ଭାରତୀୟ ମହିଳା ପର୍ବତାରୋହୀ ବଲଜିତ୍ କୌର ଜୀବନ୍ତ ଠାବ

କାଠମାଣ୍ଡୁ: ନେପାଳର ‘ମାଉଣ୍ଟ ଅନ୍ନପୂର୍ଣ୍ଣା’ର ଶିଖରରୁ ଓହ୍ଲାଉଥିବା ବେଳେ’ ଚତୁର୍ଥ କ୍ୟାମ୍ପ ‘ନିକଟରେ ନିଖୋଜ ହେବାର ଦିନକ ପରେ ଭାରତର ଅଗ୍ରଣୀ ମହିଳା ପର୍ବତାରୋହୀ ବଲଜିତ କୌର (୨୭)ଙ୍କୁ ମଙ୍ଗଳବାର ଜୀବନ୍ତ ଠାବ କରାଯାଇଛି ।

‘ପାୟୋନିଅର୍ ଆଡଭେଞ୍ଚର’ର ସଭାପତି ପାସଙ୍ଗ ଶେର୍ପା’ ହିମାଳୟ ଟାଇମ୍ସ’କୁ କହିଛନ୍ତି ଯେ ଏକ ‘ଏରିଏଲ୍ ସର୍ଚ୍ଚ ପାର୍ଟି’ ତାଙ୍କୁ (କୌର) ଟ୍ରାକ୍ କରିଛି। ବଲଜିତ ସୋମବାର ଅମ୍ଳଜାନ ବିନା ବିଶ୍ୱର ଦଶମ ସର୍ବୋଚ୍ଚ ପର୍ବତ ଶୃଙ୍ଗରେ ପାଦ ରଖିଥିଲେ ମଧ୍ୟ ଅବତରଣ ସମୟରେ ନିଖୋଜ ହୋଇଯାଇଥିଲେ।

ପାସଙ୍ଗ ଶେର୍ପା କହିଛନ୍ତି, ହେଲିକପ୍ଟର ଯୋଗେ ତାଙ୍କୁ ଉଚ୍ଚ ଶିବିର (ଚତୁର୍ଥ କ୍ୟାମ୍ପ)ରୁ ଫେରାଇ ଆଣିବା ପାଇଁ ଆମେ ପ୍ରସ୍ତୁତି କରୁଛୁ। ଶେର୍ପାଙ୍କ କହିବାନୁସାରେ, ଏରିଏଲ ସର୍ଚ୍ଚ ପାର୍ଟି କୌରଙ୍କୁ ଏକାକୀ ଚତୁର୍ଥ କ୍ୟାମ୍ପ ଆଡ଼କୁ ଓହ୍ଲାଉଥିବାର ଦେଖିଥିଲେ ।

ଏକ ରିପୋର୍ଟ ଅନୁଯାୟୀ, କୌର ଶିଖର ବିନ୍ଦୁ ତଳେ ଫସି ଯାଇଥିଲେ ଓ ଆଜି ସକାଳ ଯାଏଁ ରେଡିଓ ଯୋଗାଯୋଗରୁ ବାହାରେ ରହିଥିଲେ। ମଙ୍ଗଳବାର ସକାଳେ ଏକ ବିମାନ ଦ୍ବାରା ସର୍ଚ୍ଚ ଅପରେସନ୍ ସିଏଏସ୍ଓ ପରେ ସେ ‘ଜରୁରୀ ସହାୟତା’ ପାଇଁ ରେଡିଓ ସଙ୍କେତ ପଠାଇବାରେ ସଫଳ ହୋଇଥିଲେ। ଶେର୍ପାଙ୍କ ସୂଚନା ଅନୁଯାୟୀ, କୌରଙ୍କ ଜିପିଏସ୍ ଲୋକେସନ୍ ୭,୩୭୫ ମିଟର (୨୪,୧୯୩ ଫୁଟ) ଉଚ୍ଚତା ନେଇ ସିଗ୍ନାଲ ଦେଇଥିଲା | ସୋମବାର ସନ୍ଧ୍ୟା ପ୍ରାୟ ୫.୧୫ ସମୟରେ ସେ ଓ ଦୁଇ ଶେର୍ପା ଗାଇଡ୍ ସହିତ ଅନ୍ନପୂର୍ଣ୍ଣା ପର୍ବତର ଶିଖରରେ ପହଞ୍ଚିଥିଲେ | ସେମାନଙ୍କୁ ଖୋଜିବା ପାଇଁ ଅତି କମରେ ତିନୋଟି ହେଲିକପ୍ଟର ନିୟୋଜିତ କରାଯାଇଥିଲା।

ହିମାଚଳ ପ୍ରଦେଶର ବଲଜିତ କୌର ଗତ ବର୍ଷ ମେ ମାସରେ ‘ମାଉଣ୍ଟ ଲୋହସେ’ ଆରୋହଣ କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ଗୋଟିଏ ସିଜନରେ ୮୦୦୦ ମିଟର ବିଶିଷ୍ଟ ଚାରିଟି ପର୍ବତ ଶିଖର ମଧ୍ୟ ଚଢ଼ିଥିଲେ । ରାଜସ୍ଥାନର କିଶାନଗଡର ବାସିନ୍ଦା ଅନୁରାଗ ମାଲୁ ସୋମବାର ଦିନ ଅନ୍ନପୂର୍ଣ୍ଣା ପର୍ବତର ତୃତୀୟ ଶିବିରରୁ ଓହ୍ଲାଇବା ବେଳେ ନିଖୋଜ ହୋଇଯାଇଥିଲେ। ଏହା ପରେ ନେପାଳ ଖବରକାଗଜ ‘ଦି ହିମାଳୟ ଟାଇମ୍ସ’ ରିପୋର୍ଟରେ କୁହାଯାଇଥିଲା ଯେ ଚତୁର୍ଥ କ୍ୟାମ୍ପରୁ ଓହ୍ଲାଇବା ସମୟରେ ୬୦୦୦ ମିଟର ଉଚ୍ଚତାରୁ ଖସିପଡ଼ି ସୋମବାର ତାଙ୍କ (ମାଲୁ) ମୃତ୍ୟୁ ହୋଇଥିଲା ।

କେ-୨ ଶିଖରରେ ପହଞ୍ଚିବାରେ ଆୟର୍ଲାଣ୍ଡର ପ୍ରଥମ ବ୍ୟକ୍ତି ନୋଏଲ୍ ହାନ୍ନା ଗତକାଲି ରାତିରେ ‘ଚତୁର୍ଥ କ୍ୟାମ୍ପ’ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି’ ସେଭେନ୍ ସମିଟ୍ ଟ୍ରେକ୍’ର ସଭାପତି ମିଙ୍ଗମା ଶେର୍ପା କହିଛନ୍ତି। ଆୟୋଜକମାନେ କହିଛନ୍ତି ଯେ ମାଲୁ ଏବଂ ହାନ୍ନାଙ୍କ ମୃତଦେହକୁ ବେସ କ୍ୟାମ୍ପକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଅନ୍ନପୂର୍ଣ୍ଣା ପର୍ବତ ହେଉଛି ପୃଥିବୀର ଦଶମ ସର୍ବୋଚ୍ଚ ପର୍ବତ, ଯାହା ସମୁଦ୍ର ପତ୍ତନଠାରୁ ୮,୦୯୧ ମିଟର ଉଚ୍ଚରେ ଅବସ୍ଥିତ। ଏହି ପର୍ବତ ଆରୋହଣ କରିବା ବହୁତ କଷ୍ଟକର ।

Leave a Reply

Your email address will not be published. Required fields are marked *