ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବନ୍ତ,ତା୧୪/୭:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ଅନ୍ତର୍ଗତ ବରହମପୁର ଗ୍ରାମର ବନମାଳୀ ସାହୁ (୩୯) ପାରାଲିସିସ୍ ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି । ସୂଚନା ଅନୁଯାୟୀ; ବନମାଳୀ ଜଣେ ଗରିବ ପରିବାରର ମୁଖ୍ୟ ହିସାବରେ ଆଗରପଡ଼ା ବଜାର ଉପରେ ଏକ କେବିନ ପକାଇ ଚାଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଆଜକୁ ୨ମାସ ତଳେ ସେ ହଠାତ୍ ବାନ୍ତି କରିବା ପରେ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ନେବା ପରେ ସେ ପାରାଲିସିସ୍ ରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା । ଏହା ଜଣା ପଡ଼ିବାପରେ ଅର୍ଥ ଅଭାବରୁ ପରିବାର ଲୋକେ ହତାଶ ହୋଇ ପଡ଼ିଛନ୍ତି । ସ୍ତ୍ରୀଙ୍କ ସମେତ ୩ ଗୋଟି ପୁଅ ଓ ବିଧବା ମା’ ଏହିପରି ୫ପ୍ରାଣୀ କୁଟୁମ୍ବଙ୍କୁ ପ୍ରତିପୋଷଣର ବୋଝ ସମେତ ପିଲାଙ୍କ ପାଠପଢା ଖର୍ଚ୍ଚ ପାଇଁ ତାଙ୍କ ପାଖରେ ସମ୍ବଳ ନଥିବାବେଳେ ଏହି ରୋଗ ତାଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ତେଣୁ ତାଙ୍କ ଚିକିତ୍ସା ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ଆର୍ଥିକ ସାହାର୍ଯ୍ୟ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।