ଗଞ୍ଜାମର ଦୁଃଖ ବହାନାଳ, ବର୍ଷା ପୂର୍ବରୁ ଏହାର ପୁନରୁଦ୍ଧାର ଜରୁରୀ
![](https://teerthkhetra.com/wp-content/uploads/2023/06/IMG-20230602-WA0014-1024x768.jpg)
ବ୍ରହ୍ମପୁର – ୨/୬/୨୦୨୩ – ବ୍ରହ୍ମପୁର ମହାନଗରର ଆସ୍କା ରୋଡରୁ ଗୋପାଳପୁର ଜନକ୍ସନ ଦୀର୍ଘ ୧୧ କିଲୋମିଟର ବ୍ୟାପି ବହିଯାଇଥିବ ବହାନାଳ ସହର ତଥା ସହର ତଳି ଅଞ୍ଚଳର ଅନେକ ଜନବସତି ଦେଇ ପ୍ରବାହିତ ହେଇ ଯାଇଛି। ସେଥିମଧ୍ୟରୁ ନୀଳାଞ୍ଚଳ ନଗର , ଗଜପତି ନଗର, ହର୍ଷ ବିହାର, ବିଜୟ ବିହାର ଓ ବାସୁଦେବ ନଗର ଭଳି ଅନେକ ସହର ତଳି ଅଞ୍ଚଳର ଜନବସତି ଏହି ନାଳର ଦକ୍ଷିଣ ପାର୍ଶ୍ଵରେ ଗଢି ଉଠିଛି। କିନ୍ତୁ ବିଡମ୍ବନା ହେଲା ବର୍ଷ ତମାମ ଏହି ନାଳର୍ ରକ୍ଷଣା ବେକ୍ଷଣ , ସଫେଇ ଓ ଉପଯୁକ୍ତ ପରିଚାଳନା ଅଭାବରୁ ସେହି ନାଳ ବାଲି, ପଙ୍କ ଓ କାଦୁଅରେ ପରିପୂର୍ଣ୍ଣ ହେବା ସହ ନଳର ଉଭୟ ପାର୍ଶ୍ଵରେ ଅନାବନା ଅଦରକାରୀ ବୃକ୍ଷ ଓ ଲଟା ବୁଡ଼ାରେ ଛାଇ ଯାଇଛି। ଯାହା ଫଳରେ ଡ୍ରେନଟା ଚୋକ ହୋଇ ହୋଇ ନାଳରେ ପାଣି ଯିବାରେ ପ୍ରତିବନ୍ଧକ ଉପୁଜିଛି। ଏପରିକି ସାମାନ୍ୟ ବର୍ଷା ହେଲେ ଏହି ସବୁ ଉପର ବର୍ଣ୍ଣିତ ତଳି ଅଞ୍ଚଳ ମାନଙ୍କରେ ପାଣି ରାସ୍ତା ଉପରେ ଲହଡ଼ି ମାରିବା ସହ ସେହି ସବୁ ଅଞ୍ଚଳରେ ବୁଡି ଅଞ୍ଚଳ ଭଳି ପରିସ୍ଥିତି ସୃଷ୍ଟି ହୁଏ ଏବଂ ଲୋକଙ୍କ ଘରେ ପାଣି ପଶେ ଓ ଘରର ଅଧା ପାଣିରେ ବୁଡ଼ିଯାଏ ଯାହା ଆମେ ଅନେକ ବର୍ଷ ହେଲା ଦେଖି ଉପଲବ୍ଧି କରି ଆସୁଛୁ। ଯଦିଓ ସମୁଦାୟ ୧୧ କିଲୋମିଟର ପରିବ୍ୟାପ୍ତ ମଧ୍ୟରୁ କେବଳ ୬ କି. ମି ପର୍ଯ୍ୟନ୍ତ ନାଳର ନିମ୍ନ ଆଡୁ ବାହା ନାଳାର ଉଭୟ ପାର୍ଶ୍ଵରେ ସିମେଣ୍ଟ କଂକ୍ରିଟର କାନ୍ଥ ନିର୍ମାଣ କରାଯାଇଛି, ଯାହା ସମୁଦାୟ ସମସ୍ୟାକୁ ସାମ୍ନା କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ପ୍ରାକୃତିକ ଭାବରେ ନାଲର ପାଣିଟା ମୁକ୍ତ ଭାବରେ ନିଷ୍କାସନ ହୋଇ ନପାରି ଜମା ହୋଇ ଅନେକ ଜାଗାରେ ରହୁଥିବା ହେତୁ ଆବଦ୍ଧ ପାଣିରେ ମଶା ମାନଙ୍କ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସୁଯୋଗ ଓ ପରିବେଶ ପ୍ରଦାନ କରିଥାଏ। ଯଦି ନାଳ ପାର୍ଶ୍ଵ ଦେଇ ଯାଇଥିବା ରାସ୍ତା ପାର୍ଶ୍ବରେ ଆଉ ଗୋଟିଏ ଆପ୍ରୋଚ କିମ୍ବା ସର୍ଭିସ୍ ରୋଡ ତିଆରି କରାଯାଏ ନାହିଁ ତାହାହେଲେ ସେଠାରୁ ପଙ୍କୋ ଉଦ୍ଧାର କରିବା କିମ୍ବା ନିୟମିତ ସଫେଇ କରିବା ସମ୍ଭବ ନୁହଁ ଏବଂ ଏ ସମସ୍ୟାର କେବେ ସ୍ଥାୟୀ ସମାଧାନ ବାହାରି ପାରିବ ନାହିଁ।
ଏହି ପରିପ୍ରେକ୍ଷୀରେ ଏନେଇ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଇମେଲ ମାଧ୍ୟମରେ ଦାବୀ ପତ୍ର ପ୍ରେରଣ କରାଯାଇ ଅନୁରୋଧ କରାଯାଇଛି ଯେ ତୁରନ୍ତ ନାଳର ଉଭୟ ପାର୍ଶ୍ଵରେ ମଜଭୁତ ସିମେଣ୍ଟ କଂକ୍ରିଟ କାନ୍ଥ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କରନ୍ତୁ ଏବଂ ନାଳ ପାର୍ଶ୍ଵ ଦେଇ ସମାନ୍ତରାଳ ଭାବରେ ଏକ ଅତିରିକ୍ତ ସରଭିସ ରାସ୍ତା ମଧ୍ୟ ଆସ୍କା ରୋଡ ଠାରୁ ଗୋପାଳପୂର ଜଙ୍କସନ ପର୍ଯ୍ୟନ୍ତ ନିର୍ମାଣ କରନ୍ତୁ। ଯାହା ଫଳରେ ବ୍ରହ୍ମପୁର ବାସୀ ସବୁଦିନ ଏ ସମସ୍ୟାରୁ ମୁକ୍ତି ପାଇବା ସହ ସମ୍ମାନ ର ସହ ବଞ୍ଚି ପାରିବେ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଓ ଉପଦେଷ୍ଟା ଇ. ଟି. ରାଓ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।
ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।