ଫେବୃୟାରୀ ୨୧ ରୁ ୨୩ ଅଖିଳ ଭାରତାୟ ବିଶ୍ବକର୍ମା ମହାସଂଘର ହୀରକ ଜୟନ୍ତୀ

ପୁରୀ,୧୮/୨-ଅଖିଳ ଭାରତୀୟ ବିଶ୍ବକର୍ମା ମହାସଂଘର ହୀରକ ଜୟନ୍ତୀ ଚଳିତମାସ ୨୧ ରୁ ୨୩ ତିନିଦିନ ଧରି ପୁରୀ ଟାଉନହଲ ଠାରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ମଙ୍ଗଳବାର ମଧ୍ୟାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତୀୟ ସଭାପତି ଛେଦିଲାଲ ଶର୍ମା ବିଶ୍ବକର୍ମା କହିଲେ ସାରା ଭାରତରେ ୧୯ ଲକ୍ଷ ବିଶ୍ବକର୍ମା ରହିଛନ୍ତି । ସେମାନଙ୍କ ସାମାଜିକ, ରାଜନୈତିକ, ଆର୍ଥିକ ଓ ଧାର୍ମିକ ଉନ୍ନତି ପାଇଁ ସଂଘ ପ୍ରତି ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବ । ୧୯୧୮ ମସିହାରେ ପ୍ରଥମେ କଲିକତାରେ ଏହି ସଂଘ ଆରମ୍ଭ ହୋଇଥିଲା । ଏହାର ହୀରକ ଜୟନ୍ତୀ ଚାରିଧାମ ମଧ୍ଯରୁ ଅନ୍ଯତମ ଧାମ ପୁରୀର ଟାଉନହଲରେ ଅନୁଷ୍ଠିତ ହେବ । ଲୋକସଭା, ରାଜ୍ଯସଭା, ରାଜ୍ଯ ବିଧାନସଭା ଓ ଅନ୍ଯ ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ବିଶ୍ବକର୍ମାର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ ଦାବି କରିବେ । ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା ସଭାପତିତ୍ବ କରି କହିଲେ ଓଡ଼ିଶାରେ ବିଶ୍ବକର୍ମା ଭାଇମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ସ୍ଥିତିରେ ରହିଛି । ରାଜ୍ଯ ସାଧାରଣ ସମ୍ପାଦକ ମନୋରଞ୍ଜନ ମହାରଣା କହିଲେ ରାଜ୍ଯ ରାଜଧାନୀ ଭୁବନେଶ୍ଵର ଠାରେ ବିଶ୍ବକର୍ମା ଭବନ, ବିଶ୍ବକର୍ମା ସଂଗ୍ରହାଳୟ ଓ ବିଶ୍ବକର୍ମା କୌଶଳ ବିକାଶ କେନ୍ଦ୍ର ପାଇଁ ଜମି ଯୋଗାଇ ଦେବା ପାଇଁ ସମ୍ମିଳନୀରେ ଆଲୋଚନା ହେବ । ଏହି ସମ୍ମିଳନୀରେ ଓଡ଼ିଶାରୁ ୫ଶହ ପ୍ରତିନିଧି ଓ ଭାରତର ବିଭିନ୍ନ ରାଜ୍ୟରୁ ୩ଶହ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ଯ ଉପସଭାପତି ଭାଗିରଥୀ ବିନ୍ଧାଣୀ, ଯୁଗ୍ମ ସମ୍ପାଦକ ପ୍ରମୋଦ ରଞ୍ଜନ ମହାରଣା,ପୁରୀ ସହର ସଭାପତି ହୃଷିକେଶ ମହାରଣା ଓ ସମ୍ପାଦକ ସଚ୍ଚିଦାନନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ୨୨ ତାରିଖ ଶନିବାର ସଂଧ୍ଯାରେ ପୁରୀ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର, ପୁରୀ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ପୁରୀ ଏଇସପି ବିନିତ ଅଗ୍ରୱାଲ, ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏବଂ ୨୩ ତାରିଖ ସଂଧ୍ୟାରେ ରାଜ୍ଯ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଓ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି ।