କୋଣାର୍କରେ ମେଡ଼ିକାଲ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ

କୋଣାର୍କ: ୨୦.୦୩.୨୦୨୩ ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମେଡିକାଲ ଜନିତ ସମସ୍ୟାକୁ ନେଇ ଧୀରେ ଧୀରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ନେଇ କୋଣାର୍କର ଯୁବ ପିଢ଼ି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡିଥିବା ବେଳେ ଧୀରେ ଧୀରେ ଅଞ୍ଚଳବାସୀଙ୍କ ସହଯୋଗ ମିଶନ ମେଡିକାଲକୁ ଅଧିକ ଶକ୍ତିଶାଳୀ କରୁଛି। କୋଣାର୍କରେ ମେଡିକାଲ ଜନିତ ସମସ୍ୟା ଓ ଏହାର ସ୍ଥାୟୀ ପ୍ରତିକାର ପାଇଁ ସୋମବାର ପୂର୍ବାହ୍ନରେ କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।

କୋଣାର୍କର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ଦ୍ଵାରା ଆୟୋଜିତ ଏହି ସମ୍ମିଳନୀରେ କୋଣାର୍କ ସୁରକ୍ଷା ସମିତିର ଆବାହକ ଭାଗୀରଥି ସ୍ୱାଇଁ, ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ସରପଞ୍ଚ ମନୋରଞ୍ଜନ ପରିଡା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଭାସ୍କର ସେଠ, ବରିଷ୍ଠ ବିଜେଡି ନେତା ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ସମ୍ପାଦନା କରିଥିଲେ।

ଗତ ମାର୍ଚ୍ଚ ୧୬ ତାରିଖରେ କୋଣାର୍କ ଡେଭଲପମେଣ୍ଟ କାଉନ୍ସିଲ ପକ୍ଷରୁ ଏହି ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାର କୌଣସି ପ୍ରତିଉତ୍ତର ଏଯାବତ ନ ଆସିବାରୁ ସାମ୍ୱାଦିକ ସମ୍ମିଳନୀ ଡକାଇ କୋଣାର୍କର ଯୁବ ପିଢ଼ି ଏବଂ ବରିଷ୍ଠ ନାଗରିକ ମାନେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଯଦି ଏପ୍ରିଲ ୧ ସୁଦ୍ଧା ଏହାର କୌଣସି ଉତ୍ତର ନ ଆସେ ତେବେ ଏପ୍ରିଲ ୨ ରେ ପୁନଃ ଏକ ଚିଠି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଲେଖାଯିବ ଏବଂ ସେଥିରେ ମେଡିକାଲ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଲ୍ଲେଖ ରହିବା ସହ ୧୫ ଦିନର ମହୁଲତ ରାଜ୍ୟ ସରକାରଙ୍କୁ ମଗାଯିବ, ଏବଂ ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏହାର କୌଣସି ପନ୍ଥା ରାଜ୍ୟ ସରକାର ବାହାର ନକରନ୍ତି ତେବେ କୋଣାର୍କ ଅଞ୍ଚଳରୁ ଶତାଧିକ ଆବାଳ ବୃଦ୍ଧ ବନିତା କୋଣାର୍କ ଠାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିବା ବେଳେ, କୋଣାର୍କ ଡେଭଲପମେଣ୍ଟ କାଉନ୍ସିଲର ସଦସ୍ୟ ପିନାକୀ ନାୟକ ଓ ଶୁଭାଶିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *