ମାନବ ସେବା ହିଁ ମାଧବ ସେବା।

ନୀଳାଚଳ ସାରସ୍ବତ ସଂଘ, ନିମାପଡ଼ା ଶାଖାର ବାର୍ଷିକ ଉତ୍ସବ ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଯାଇଛି। ପରମହଂସ ଶ୍ରୀମଦ୍ ସ୍ବାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ଠାକୁର ମହାରାଜଙ୍କ କେନ୍ଦ୍ର ଆସନ ସ୍ମୃତି ମନ୍ଦିର ଓ ନୀଳାଚଳ କୁଟୀରରେ ଯଥା ବିଧାନରେ ନିମନ୍ତ୍ରଣ କରାଯାଇ ମହା ଆଡମ୍ବର ସହକାରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଥିଲା। ଗତ ମଙ୍ଗଳବାର ଦିନ ଶୁଭ ଅଧିବାସ ପର୍ବ ସମାପନ ହେବା ପରେ ବୁଧବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧ ପୂଜା ପ୍ରାତଃ ୪ଟାରୁ ୮ଟା ମଧ୍ୟରେ ପ୍ରାର୍ଥନା ସଭା, ଜାଗରଣ, ପ୍ରତୀକ୍ଷା ଗାନ, ଷୋଡଶ ଉପଚାର ପୂଜା, ଆରତୀ, ସ୍ତୋତ୍ର ବନ୍ଦନା, ଶ୍ରୀଶ୍ରୀ ଗୁରୁଗୀତା ପାଠ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟାର୍ଦ୍ଧ ପୂଜା ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଦିବା ୧ଟା ପର୍ଯ୍ୟନ୍ତ ଚାଲିଥିଲା। ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁରଙ୍କ ଲୀଳା, ପୁରୁଷୋତ୍ତମ କ୍ଷେତ୍ର ବିଜେ ସମ୍ବନ୍ଧରେ ସଂଘର ସଭାପତି ଆଲୋକପାତ କରିବା ସହ ମାନବ ସେବା ହିଁ ମାଧବ ସେବା ବୋଲି ମତ ପ୍ରକାଶ କରିଥିଲେ। ନିମାପଡ଼ା ସାରସ୍ୱତ ସଂଘ ସଭାପତି ଶରତ ଚନ୍ଦ୍ର ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଶତାଧିକ ଗୁରୁଭାଇଙ୍କ ସମାଗମ ହୋଇଥିଲା। ଅପରାହ୍ନ ୧ଟା ୩୦ରେ ପ୍ରସାଦ ସେବନ କରାଯାଇଥିଲା। ନିମାପଡ଼ା ଶାଖା ସଂଘ ସମ୍ପାଦକ ଚନ୍ଦ୍ର ଶେଖର ମହାନ୍ତି, ପୁରୀ ନୀଳାଚଳ ସାରସ୍ୱତ ସଂଘର କେନ୍ଦ୍ର ସଭାପତି ସନ୍ତୋଷ କୁମାର ମହାନ୍ତି,ନିମାପଡ଼ା ଶାଖା ସଂଘ ଉପସଭାପତି ରବୀନ୍ଦ୍ର କୁମାର ନାୟକ, ସହ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ଯୋଗଜନ୍ମା ସାହୁ, କେନ୍ଦ୍ର ପରାମର୍ଶଦାତା ମଣ୍ଡଳୀ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, କର୍ମକର୍ତ୍ତା ନିଗମାନନ୍ଦ ସାହୁ, ପଦ୍ମାବତୀ ପଣ୍ଡା, ନଳିନୀପ୍ରଭା ସିଂହଦେଓ, ମହେନ୍ଦ୍ର ସିଂ ଭାଟିଆ, ପ୍ରମୁଖ ଉତ୍ସବରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *