ଏବେ ବି ବଞ୍ଚିଛି ମାନବିକତା
ଏବେ ବି ବଞ୍ଚିଛି ମାନବିକତା।ସମାଜରେ ଅନେକ ଭଲ ଲୋକ ରହିଛନ୍ତି।ଏଟିଏମ କାଉଣ୍ଟରରୁ ଦଶ ହଜାର ଟଙ୍କା ପାଇଁ ଫେରାଇଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ।ଗତକାଲି ଅପରାହ୍ନରେ ସେ ଅଠରନଳା ନିକଟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ କାଉଣ୍ଟରକୁ ଯାଇଥିଲେ।ଏଟିଏମ ମେସିନରରୁ ଦଶହଜାର ଟଙ୍କା ବାହାରିଥିବା ଦେଖି ସେ ଟଙ୍କା ସଂଗ୍ରହ କରିବା ସହ ମୁହଁରୁ ମାସ୍କ ଖୋଲି ଏଟିଏମ କାଉଣ୍ଟରରେ ଥିବା ସିସିଟିଭି କ୍ୟାମେରାରେ ନିଜ ମୁହଁ ସହ ପାଇଥିବା ଟଙ୍କା ଦର୍ଶାଇଥିଲେ।ପରେ ସେ ପରିମଳ ବିଭାଗ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ।ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ସହ ଯୋଗାଯୋଗ କରାଯାଇଥିଲା।ପରେ ରାଜେନ୍ଦ୍ର ମୁଖ୍ୟ ଶାଖାକୁ ଯାଇଥିଲେ।ବ୍ୟାଙ୍କ ପକ୍ଷରୁ ଗତକାଲି ସେହି ସମୟର ସିସିଟିଭି ଫୁଟେଜ ଓ ଟଙ୍କା ଉଠାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଯାଞ୍ଚ କରାଯାଇ ତାଙ୍କୁ ଦଶ ହଜାର ଟଙ୍କା ଫେରାଇଛନ୍ତି।