“ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ.. ଆଉ ଗାନ୍ଧୀ କେବେ କ୍ଷମା ମାଗନ୍ତି ନାହିଁ” : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଶନିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପୁଣି ଥରେ ଆଦାନୀ ଗ୍ରୁପ୍ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ନେଇ ପ୍ରଶ୍ନ ଉଠାଇଥିଲେ । ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକୁ ମିଳୁଥିବା ଟଙ୍କାର ଉତ୍ସ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ତାଙ୍କ ‘ମୋଦୀ ସାଙ୍ଗିଆଧାରୀ ଚୋର’ ବୟାନ ପାଇଁ ସେ କ୍ଷମା ମାଗିବେ କି ବୋଲି ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତିି, “ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ.. ଆଉ ଗାନ୍ଧୀ କେବେ କ୍ଷମା ମାଗନ୍ତି ନାହିଁ।”

ସାମ୍ବାଦିକ ସମ୍ମିଳନୀରେ ସେ କିଛି ପ୍ରଶ୍ନ ଉପରେ ମଧ୍ୟ ଚିଡ଼ିଥିଲେ। ସେ ଜଣେ ସାମ୍ବାଦିକଙ୍କୁ ଅଟକାଇ କହିଥିଲେ, “ମୋତେ ପ୍ରଥମେ ମୋର କାମ କରିବାକୁ ଦିଅ।”

ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ଆମେ ପ୍ରତିଦିନ ଏହାର ଉଦାହରଣ ଦେଖୁଛୁ | ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆଦାନୀଙ୍କ ସମ୍ପର୍କ ବିଷୟରେ ମୁଁ ପ୍ରଶ୍ନ ପଚାରିଥିଲି, କିନ୍ତୁ ମୋତେ କହିବାକୁ ଅନୁମତି ଦିଆଯାଇନଥିଲା।

ଏହି କଂଗ୍ରେସ ନେତା କହିଛନ୍ତି, “ମୁଁ ସତ ବ୍ୟତୀତ ଅନ୍ୟ କୌଣସି କଥା ପ୍ରତି ଆଗ୍ରହୀ ନୁହେଁ। ମୁଁ କେବଳ ସତ କହୁଛି, ଏହା ମୋର କାମ । ମୁଁ ସଂସଦରୁ ଅଯୋଗ୍ୟ ହୁଏ କି ଗିରଫ ହୁଏ, ପ୍ରଶ୍ନ ପଚାରିବା ଜାରି ରଖିବି | ଏହି ଦେଶ ମୋତେ ସବୁକିଛି ଦେଇଛି । ଭାରତୀୟ ଗଣତନ୍ତ୍ର ପାଇଁ ମୋ’ ଲଢ଼େଇ ଜାରି ରହିବ ।

ସୂଚନା ଯେ, ‘ସବୁ ମୋଦୀ ସାଙ୍ଗିଆଧାରୀ ଚୋର’ ବୟାନ ପାଇଁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାନହାନି ମାମଲାରେ ଗୁରୁବାର ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ତେବେ କୋର୍ଟ ତାଙ୍କୁ ସଙ୍ଗେ ସଙ୍ଗେ ଜାମିନ ପ୍ରଦାନ କରିଥିଲେ ଓ ତାଙ୍କ ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖିଥିଲେ, ଯାହାଫଳରେ ସେ ଉପର କୋର୍ଟରେ ଆବେଦନ କରିପାରିବେ। ଏପ୍ରିଲ୍ ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କଲାବେଳେ ରାହୁଲ କହିଥିଲେ – ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି ରହିଥାଏ ? ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଳାତକ ନିରବ ମୋଦୀ ଓ ଲଳିତ ମୋଦୀଙ୍କ ସହ ତୁଳନା କରିଥିଲେ। ତାଙ୍କର ଏପରି ବୟାନ ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁରଟର ବିଜେପି ନେତା ତଥା ପୂର୍ବତନ ବିଧାୟକ ପୂର୍ଣ୍ଣେଶ ମୋଦୀ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ ।

Leave a Reply

Your email address will not be published. Required fields are marked *