ହାଇକୋର୍ଟ ନିର୍ଦ୍ଦେଶକୁ ବେଖାତିର । ଚାଲିଛି ଶହଶହ ବେଆଇନ ଇଟାଭାଟି ।

ଗୋପ ତା ୨୦//୦୨/୨୫(ତୀର୍ଥ କ୍ଷେତ୍ର.) ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଗୋପ ତହସିଲ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନ ଭାବେ ଶତାଧ‌ିକ ଇଟାଭାଟି ନିର୍ମାଣ କରାଯାଇଥିବାର ଦେଖାଯାଇଛି। ଏ ନେଇ ରାଜସ୍ବ ବିଭାଗ ନିକଟରେ ଖବର ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଵାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ପଟେ ଏହି ଇଟାଭାଟି ଧୂଆଁରେ ଜନଜୀଵନ ଅସ୍ତଵ୍ୟସ୍ତ ହେଵା ସହ ପରିବେଶ ପ୍ରଦୂଷିତ ହେଉଥିବା ଵେଳେ ଅନ୍ୟପଟେ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ରାଜସ୍ଵ ହାନୀ ହେଉଛି । ମାତ୍ର ବାରମ୍ବାର ଅଭିଯୋଗ ପରେ ବି ସଵୁ ଜାଣି ଗୋପ ତହସିଲଦାର ଚୁପ ହୋଇ ବସି ରହିବା ପଛରେ ରହସ୍ୟ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଶୁଣିବାକୁ ମିଳୁଛି ରାଜସ୍ବ ବିଭାଗ କେତକ କର୍ମଚାରୀ ଏଵଂ କେତକ ରାଜସ୍ଵ ନିରୀକ୍ଷକ ଇଟାଭାଟି ମାଲିକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ପକାଇ ତାଙ୍କୁ ପରୋକ୍ଷରେ ସାହାଯ୍ୟ କରୁଛନ୍ତି । ଫଳରେ ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ ମିଟର ଦୂରରେ ଶହଶହ ଇଟାଭାଟି ଚାଲିଥିଲେ ମଧ୍ୟ ତହସିଲଦାର ସଵୁ ଜାଣି ଚୁପ୍ ହୋଇ ଵସୁଛନ୍ତି । ଅପରପକ୍ଷେ ପରିବେଶରେ ଅଧିକାଂଶ ମୁର୍ତ୍ତିକା କ୍ଷୟ ଯୋଗୁଁ ହାଇକୋର୍ଟ ୨୦୧୨ରେ ଏକ ରିଟ୍ ପିଟିଶନର ବିଚାର କରି ମାଟି ଖୋଳା ଇଟା ନିର୍ମାଣକୁ ବେଆଇନ ଓ ଅସିଦ୍ଧ ଘୋଷଣା କରିଥିଲେ। ଏହାସହ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏଭଳି ବେଆଇନ ଇଟାଭାଟି ନିର୍ମାଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟ ପ୍ରଦୂଷଣ ରୋକିବାକୁ ମାଟିରେ ଇଟାଭାଟି ନିର୍ମାଣକୁ ଅସିଦ୍ଧ କହିବା ସହ ପାଉଁଶ, ସିମେଣ୍ଟରୁ ଇଟା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କିନ୍ତୁ ଉପରୋକ୍ତ ନିର୍ଦ୍ଦେଶକୁ ନ ମାନି କେତେଜଣ ଅସାଧୁ ବ୍ୟବସାୟୀ ସରକାରୀ ଜମି, ଗୋଚର,ଅନାବାଦୀ, ବିଲରୁ ବେଆଇନ ଭାବେ ମାଟି ଉତ୍ତୋଳନ କରି ଜନବସତି ଅଞ୍ଚଳରେ, ମୁଖ୍ୟ ରାସ୍ତାପାର୍ଶ୍ଵ, ଗ୍ରାମ୍ୟ ଜଙ୍ଗଲ ଓ ବିଦ୍ୟାଳୟ ନିକଟରେ ଇଟାଭାଟି ନିର୍ମାଣ କରୁଛନ୍ତି। ଇଟା ପକାଉଥ‌ିବା ବ୍ୟକ୍ତିମାନେ ରାଜସ୍ୱ ବିଭାଗଠାରୁ ଅନୁମତି ଆଣି ସରକାରଙ୍କୁ ରାଜସ୍ବ ଦେଇ ଗୃହନିର୍ମାଣ ପାଇଁ ଇଟା ପକାଇପାରିବାର ସ୍ପଷ୍ଟ ନିୟମ ରହିଛି। କିନ୍ତୁ ଏମାନେ ସରକାରଙ୍କଠାରୁ ବିନା ଅନୁମତିରେ ମନଇଚ୍ଛା ଇଟାଭାଟି ନିର୍ମାଣ କରି କୋଟିକୋଟି ଇଟା ବିକ୍ରୟ କରି ବେଶ୍ ପକେଟ୍ ଗରମ କରୁଥିବା ଵେଳେ ରାଜସ୍ବ ମଧ୍ୟ ଦେଉ ନାହାନ୍ତି I ଗୋପ ତହସିଲ ଅଂଚଳ ବେଆଇନ୍ ଇଟା ବ୍ୟଵସାୟୀଙ୍କ ଭୂସ୍ବର୍ଗ ପାଲଟିଛି । ଏଥିରୁ ନିର୍ଗତ ଧୂଆଁ, ନିଆଁ ଓ ଧୂସରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିବା ସହ ଅସହ୍ୟ ଯନ୍ତ୍ରଣା ମଧ୍ୟ ଭୋଗୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣ ନାହିଁନଥିବା ଅସୁଵିଧାରେ ସମ୍ମୁଖିନ ହେଉଛନ୍ତି । ଏହା ସହ ହଜାର ହଜାର ଇଟାଭାଟି ପାଇଁ ଗ୍ରାମରେ ଥିବା ପୁରୁଣା ଗଛଗୁଡ଼ିକୁ କଟାଯାଉଥିବାରୁ ଗ୍ରାମ୍ୟ ଜଙ୍ଗଲ ମଧ୍ୟ ଧ୍ବଂସ ହେଵାରେ ଲାଗିଛି । ନିମାପଡା-କୋଣାର୍କ ରାଜ୍ୟ ରାଜପଥ ପାର୍ଶ୍ଵ ଗୋପ ତହସିଲ ଅଧିନ କୁଶୁପୁର,ଵିଶରପୁର ଇଟା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଥିଵା ବେଳେ ନୟାହାଟ, ଧୂମାଳ ମଧ୍ୟ ବ୍ଵସାୟୀକ ପେଣ୍ଠସ୍ଥଳୀ ପାଲଟିଛି । ସେହିପରି ଗୋପ, ନାଗପୁର, ଏରଵଙ୍ଗ, ଗଣେଶ୍ଵରପୁର, ଅଣ୍ଡରାଇଚ୍ଛାପୁର,ଡଭାର, ରାହାଙ୍ଗଗୋରଡା, ନୂଆଖୋଲମରା, ଛଇତନା , ବଡଗାଁ, ଵନ୍ତଳିଗ୍ରାମ, ବଡତରା, ଵନାଖଣ୍ଡି, ମହଲପଡା ଜଙ୍ଗଲଵରୀ, ବଉଲାଙ୍ଗ, ଵୀରତୁଙ୍ଗ ଆଦି ଵିଭିନ୍ନ ପଂଚାୟତର ଗାଁ ଗାଁ ରେ ମାଳମାଳ ବେଆଇନ ଇଟାଭାଟି ନିର୍ମାଣ ହୋଇ ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛି । ତୁରନ୍ତ ଏ ଦିଗରେ ଜିଲ୍ଲାପାଳ,ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *