ଭାରତର ମିଲେଟ ମିଶନ ଚାଷୀମାନଙ୍କ ପାଇଁ ବରଦାନ ସଦୃଶ : ପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ
ନୂଆଦିଲ୍ଲୀ : ଶ୍ରୀଅନ୍ନ ଦେଶର ଅଢ଼େଇ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ । ଏହା ଦ୍ୱାରା ଗ୍ରୀମଣ ଅର୍ଥନୀତି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀଅନ୍ନ କେବଳ ଖାଦ୍ୟ ଓ କୃଷି ମଧ୍ୟରେ ସୀମିତ ନୁହେଁ, ଦେଶର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ।
ବିଶ୍ୱ ଶ୍ରୀଅନ୍ନ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ମିଲେଟ ମିଶନ ଚାଷୀମାନଙ୍କ ପାଇଁ ବରଦାନ ସଦୃଶ। ଜାତିସଂଘ ୨୦୨୩କୁ ଆନ୍ତର୍ଜାତିକ ମିଲେଟ ବର୍ଷ ଘୋଷଣା କରିଥିବାରୁ ସେ ଗୌରବ ଅନୁଭବ କରିଥିବା କହିଛନ୍ତି । ଏଥିପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ମିଲେଟସ ଜାତୀୟ ଶସ୍ୟର ସୁଗୁଣ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଏହା ଲୋକମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ମୃତ୍ତିକାର ଉର୍ବରତାକୁ ନଷ୍ଟ ହେବାକୁ ଦିଏ ନାହିଁ ଓ ଏହାର ଚାଷ ପାଇଁ ଅଧିକ ଜଳ କିମ୍ବା କୌଣସି ରାସାୟନିକ ସାରର ଆବଶ୍ୟକତା ପଡ଼େ ନାହିଁ । ସେହିପରି ମିଲେଟସ ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ମୁକ୍ତ ରହିଥାଏ ଓ ସେ ଦୃଷ୍ଟିରୁ ଏହା ଖାଦ୍ୟ ସୁରକ୍ଷା ସମସ୍ୟାର ସମାଧାନରେ ସାହାଯ୍ୟ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ଏକ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ।