ନଭେମ୍ବର ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ଆଗାମୀ ନଭେମ୍ବର ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – 2023 ଅନୁଷ୍ଠିତ ହେବ । ଚଳିତ ବର୍ଷର ବିଷୟବସ୍ତୁ ବସୁଧୈବ କୁଟୁମ୍ବକମ – ୟୁନାଇଟେଡ୍ ବାଇ ଟ୍ରେଡ ଆଧାରରେ ଏଥିରେ ଓଡିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ୱିକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।
ଓଡିଶାର ବାଣିଜ୍ୟିକ ପରମ୍ପରା ବହୁ ପ୍ରାଚୀନ । ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡିଶାର ହସ୍ତତନ୍ତ, ହସ୍ତଶିଳ୍ପ, ବଭିନ୍ନ କାରୁକାର୍ଯ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ୱବାସୀଙ୍କ ପାଇଁ ଆକର୍ଷଣୀୟ ସାମଗ୍ରୀ ହୋଇଆସିଛି । ଓଡିଶାର ଜଗନ୍ନାଥ ସଂସ୍କୃତି, ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ଓଡିଶାର କୁଟୀର ଶିଳ୍ପ ସମେତ ଓଡିଶାର ମିଲେଟ, ଅଦା ଓ ହଳଦୀ, କୋରାପୁଟ କଫି, ପର୍ଯ୍ୟଟନ, କ୍ରୀଡା, ଶିଳ୍ପାୟନ ଆଦିକୁ ଓଡିଶା ପାଭିଲିୟନ ମାଧ୍ୟମରେ ବିଶ୍ୱବାସୀଙ୍କ ନିକଟରେ ସଠିକଭାବେ ଉପସ୍ଥାପିତ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଓ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ବାଣିଜ୍ୟ ମେଳାର ଫୁଡ କୋର୍ଟରେ ମଧ୍ୟ ଓଡିଶା ଅଂଶଗ୍ରହଣ କରି ବିଶ୍ୱବାସୀଙ୍କୁ ଓଡିଶାର ଅନନ୍ୟ ସୁସ୍ୱାଦୁ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗତବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଆଲୋଚନା ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିବାବେଳେ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପାୱାର ପଏଣ୍ଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ କୃଷି, ପ଼ଞ୍ଚାୟତିରାଜ, ପର୍ଯ୍ୟଟନ, ସଂସ୍କୃତି, ବୟନଶିଳ୍ପ, ଏମଏସଏମଇ, ଏସଟି ଓ ଏସସି ଉନ୍ନୟନ ଆଦି ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ, ଆୟୁକ୍ତ ଓ ନିର୍ଦ୍ଦେଶକଙ୍କ ସମେତ ସୂଚନା ଓ ଲୋକସଂପର୍କ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।