ନୟାଗଡ଼ ଜିଲ୍ଲାରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ

ନୟାଗଡ଼: ଅଦ୍ୟ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ସମଗ୍ର ଶିକ୍ଷା, ନୟାଗଡ଼ ଆନୁକୂଲ୍ୟରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ପାଳିତ ହୋଇଅଛି । ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଜିଲ୍ଲା ସୂଚନା ଓ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଆଶିଷ ଅଗ୍ରଓାଲ, ସମାଜସେବୀ ଶ୍ରୀ ଅରୁଣ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ବାନାମ୍ବର ପୃଷ୍ଟି ଅଂଶ ଗ୍ରହଣ କରି ବାଳିକା ଶିକ୍ଷା , ସ୍ୱାସ୍ଥ୍ୟ ତଥା ସେମାନଙ୍କର ସାମଗ୍ରିକ ବିକାଶ ଉପରେ ସ୍ୱ ସ୍ୱ ମତ ପ୍ରକାଶ କରିଥିଲେ । ସରକାରୀସ୍ତରରେ ବିଭିନ୍ନ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦେଇ ବାଳିକାମାନଙ୍କୁ ନିର୍ଭିକ ହୋଇ ଆତ୍ମ ବିଶ୍ୱାସର ସହ ବଂଚିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ ।
ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକସ୍ତରରୁ ମନୋନିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲାସ୍ତରରେ ତର୍କ, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଏ-୧ ଗ୍ରେଡ୍ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼ ପୌର ପରିଷଦ ଅନ୍ତର୍ଗତ କଲେଜ ଲେନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୟାଗଡ଼ ବ୍ଲକ ଅନ୍ତର୍ଗତ ଏମ.ଜି. ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରୁଡ଼ା,ଶରଣକୁଳ ନାରାୟଣୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବାଳିକା ଶିକ୍ଷା , ସ୍ୱାସ୍ଥ୍ୟ ଓ ଅଧିକାରକୁ ନେଇ ସଙ୍ଗୀତ ଓ ନାଟକ ପରିବେଷଣ କରିଥିଲେ । ଶେଷରେ ବାଲ୍ୟ ବିବାହକୁ ବିରୋଧ କରି ସମସ୍ତ ଅଂଶ ଗ୍ରହଣକାରୀମାନେ ଏକ ଶପଥ ପାଠ କରିଥିଲେ ।
ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅପରାହ୍ନ ୪ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଅଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଜିଲ୍ଲାସ୍ତରରେ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ବାଳିକାମାନେ ପ୍ରକୃତରେ କନ୍ୟାରତ୍ନ । ସେମାନେ ସେମାନଙ୍କ ଅଧିକାର ବିଷୟରେ ଜାଣିଲେ ଜିଣିବେ । ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଶ୍ରୀ ସତ୍ୟ ରଂଜନ ଦାଶ ଯୋଗ ଦେଇ ବାଳିକାମାନଙ୍କ ନିର୍ଭିକତା ଉପରେ ପ୍ରାଧାନ୍ୟ ଦେଇଥିଲେ । ୮ଟି ବ୍ଲକରୁ ଆସିଥିବା ସଖି ସହେଲିମାନେ ଅତିଥିମାନଙ୍କ ସହ ନିଜର ଅନୁଭୂତିକୁ ବାଂଟିଥିଲେ । ଏହି ବୈଠକରେ ଜିଲ୍ଲାର ସିଡିପିଓ ଓ ସୁପରଭାଇଜରମାନେ ଯୋଗଦାନ କରିଥିଲେ । ଆକ୍ସନଏଡ୍ ର ଜିଲ୍ଲା ସଂଯୋଜିକା ଇପସିତା ଅଗ୍ରଓାଲ ବୈଠକକୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *