ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ

ଶନିବାର ଠାରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଚି। ଏଥି ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର। ହଜାର ହଜାର ଭକ୍ତଙ୍କ ସମାଗମ ହୋଇଚି ମହାପ୍ରଭୁ ଝୁଲଣ ଯାତ୍ର ଦେଖିବା ପାଇଁ।

ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା ।ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି। ତାହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି ।

ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ । ଏହା ଶ୍ରୀମନ୍ଦିର ସହ ପ୍ରାୟ ଅଧିକାଂଶ ମଠରେ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *